ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ଘାନାରେ ପହଞ୍ଚିଛନ୍ତି । ସେଠାରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଘାନା ଗସ୍ତ। ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରିଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କୁ ଗାର୍ଡ ଅଫ୍ ଅନର ସହିତ ୨୧ ତୋପର ସଲାମୀ ଦିଆଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାରେ ‘ଦି ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।ରାଜଧାନୀ ଆକ୍ରାରେ ଏକ କାର୍ଯ୍ୟକ୍ରମ ସମୟରେ, ରାଷ୍ଟ୍ରପତି ମହାମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନକୁ ଭାରତର ନାଗରିକମାନଙ୍କୁ ଉତ୍ସର୍ଗ କରିଥିଲେ ଏବଂ ଏହି ସମ୍ମାନ ପାଇଁ ଘାନାକୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଘାନାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ବହୁତ ଗର୍ବ ଏବଂ ସମ୍ମାନର ବିଷୟ। ମୁଁ ରାଷ୍ଟ୍ରପତି ମହାମା, ଘାନାର ସରକାର ଏବଂ ଘାନାର ଜନସାଧାରଣଙ୍କ ପ୍ରତି ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି। ମୁଁ ୧.୪ କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରୁଛି। ମୁଁ ଏହି ପୁରସ୍କାରକୁ ଆମର ଯୁବପିଢ଼ିଙ୍କ ଆକାଂକ୍ଷା, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଆମର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ପରମ୍ପରା ଓ ଭାରତ ଏବଂ ଘାନା ମଧ୍ୟରେ ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରୁଛି। ଏହି ସମ୍ମାନ ଭାରତ-ଘାନା ବନ୍ଧୁତାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାର ଏକ ଦାୟିତ୍ୱ ମଧ୍ୟ। ଭାରତ ସର୍ବଦା ଘାନା ଲୋକଙ୍କ ସହିତ ଛିଡ଼ା ହେବ ଏବଂ ଏକ ବିଶ୍ୱସ୍ତ ବନ୍ଧୁ ଏବଂ ବିକାଶ ସହଯୋଗୀ ଭାବରେ ଅବଦାନ ଜାରି ରଖିବ।’ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରାଜଧାନୀ ଆକ୍ରାରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ଏବଂ ଉପରାଷ୍ଟ୍ରପତି ପ୍ରଫେସର ନାନା ଜେନ୍ ଓପୋକୁ-ଆଗ୍ୟେମାଙ୍ଗଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଏଥିସହ ଭାରତ ଏବଂ ଘାନାର ଅଧିକାରୀମାନେ ଦୁଇ ଦେଶ ମଧ୍ୟରେ ଚାରୋଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଷ୍ଟ୍ରପତି ମହାମା ଏବଂ ସେ ଭାରତ – ଘାନା ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି।ଦୁଇ ନେତା ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମେ ଉଭୟ ସହମତ ଯେ ଆତଙ୍କବାଦ ମାନବତାର ଶତ୍ରୁ ଏବଂ ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ଆହୁରି ମଜବୁତ ହେବ।’ ମୋଦୀ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ଘାନାର ସମର୍ଥନ ପାଇଁ କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ।



