ନୂଆଦିଲ୍ଲୀ, ୦୯/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ ପ୍ରଦାନ କରାଯାଇଛି । ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଆଲଭୋରାଡା ପ୍ୟାଲେସ୍ରେ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ଭାରତ-ବ୍ରାଜିଲ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ବିଶ୍ୱମଞ୍ଚରେ ଉଭୟ ଦେଶର ସହଯୋଗକୁ ବୃଦ୍ଧି କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବଦାନକୁ କୃତଜ୍ଞତା ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ”ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଭାବନାତ୍ମକ ମୁହୂର୍ତ୍ତ । ମୁଁ ରାଷ୍ଟ୍ରପତି ଲୁଲା, ବ୍ରାଜିଲ ସରକାର ଏବଂ ବ୍ରାଜିଲର ଜନତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତି ଲୁଲା ଭାରତ-ବ୍ରାଜିଲ ରଣନୈତିକ ସହଭାଗୀତାର ମୁଖ୍ୟ ସ୍ଥପତି, ଏବଂ ଏହି ସମ୍ମାନ ତାଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେବା ପାଇଁ ଅକ୍ଳାନ୍ତ ପ୍ରୟାସର ସମ୍ମାନ । ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଲୁଲା ବ୍ରାସିଲିଆରେ ଏକ ଦ୍ୱିପାକ୍ଷିକ ବୈଠକରେ ମିଳିତ ଭାବେ ବ୍ୟାପକ ଆଲୋଚନା କରିଛନ୍ତି । ଉଭୟ ନେତା ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ନବୀକରଣୀୟ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ମହାକାଶ, ପ୍ରଯୁକ୍ତିବିଦ୍ୟା ଏବଂ ଜନ-ସମ୍ପର୍କ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି । ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଉଭୟ ଦେଶ ଲକ୍ଷ୍ୟ ରଖିଛନ୍ତି ।



