ତାଳଚେର ଅଂଚଳରେ ଚୋରି ବେକାବୁ
ତାଳଚେର, ୧୦/୦୭ ଶିଳ୍ପନଗରୀ ତାଳଚେର ଅଂଚଳରେ ଚୋରି, ରାହାଯାନୀ ବୃଦ୍ଧି ପାଇ ଆସୁଥିଲେ ମଧ୍ୟ ତାଳଚେର ଟାଉନଥାନା ପୋଲିସ୍ର କାର୍ଯ୍ୟକଳାପକୁ ନେଇ ବର୍ତମାନ ଚର୍ଚ୍ଚା ଯୋରଧରିଛି । ୩ଦିନ ପୂର୍ବରୁ ଯେଉଁଭଳି ଦୃର୍ବୁତମାନେ ଆତଙ୍କରାଜ ଚଳାଇ ପୃଥକ ପୃଥକ ଭାବେ ବାଘୁଆବୋଲ ରେଳଫାଟକ ନିକଟରେ ବନ୍ଧୁକ, ଭୂଜାଲି ଦେଖାଇ ୪ଟି ଘଟଣା ଭିଆଇଥିଲେ ଏହା ଲୋକଙ୍କ ମନରୁ ନଲିଭୂଣୁ ପୁଣି ଆଜି ବାହାର ରାଜ୍ୟର ଦୁଇଟି ଟ୍ରଲର୍ ତାଳଚେର ବାଇପାସ୍ ଅଂଚଳରେ ଠିଆ ହୋଇଥିବା ୨ଟି ଟ୍ରଲର ଟାଙ୍କିରୁ ଦୃର୍ବୁତମାନେ ସମସ୍ତ ଡ଼ିଜେଲ କାଢ଼ି ନେଇଥିବା ଆଶ୍ଚର୍ଯ୍ୟ କରିଛି । ଦୃର୍ବୁତମାନେ ୨ଟି ଟ୍ରଲର୍ ତେଲଟାଙ୍କି ଲକ୍ଭାଙ୍ଗି ଟାଙ୍କିରେ ରହିଥିବା ସମସ୍ତ ତେଲ ଶୋଷିନେଇ ଫେରାର୍ ହୋଇଯାଇଥିଲେ । ଗାଡ଼ିର ଚାଳକ ଷ୍ଟାର୍ଟମାରିଲା ବେଳକୁ ଗାଡ଼ି ଷ୍ଟାର୍ଟ ହୋଇନଥିଲା । କାରଣ ବୁଝୁବୁଝୁ ଦେଖିଲା ବେଳେକୁ ଟାଙ୍କିରେ ଟୋପେ ବି ଡ଼ିଜେଲ ନଥିଲା । ଏସମ୍ପର୍କରେ ଉଭୟ ଗାଡ଼ିଚାଳକମନଦୁଃଖରେ ଠିଆ ହୋଇଥିବା ବେଳେ ସେମାନଙ୍କୁ ସେଠିକାର ଅଂଚଳବାସୀ ପଚାରିବାରୁ ସେ ଘଟଣା ସମ୍ପର୍କରେ କହିଥିଲେ । ଅଂଚଳବାସୀ ଥାନାରେ ଏତଲା ଦେବା ପାଇଁ ତାଙ୍କୁ କହିଥିଲେ । ମାତ୍ର ସେମାନେ କହିଲେ ଥାନେରେ ଜଣାଇଲେ କ’ଣ ଗାଡ଼ିର ତେଲ ଫେରି ଆସିବ କି? ତେଣୁ ସେମାନେ ମନଦୁଃଖରେ ଆସି ପୁନଶ୍ଚ ଟାଙ୍କିରେ ତେଲ ପକାଇ ନିଜ ଗନ୍ତବ୍ୟପଥକୁ ଯାଇଥିଲେ । ଏହି ଘଟଣାକୁ ଦୃଷ୍ଟିରେ ରଖିଲେ ଜଣାପଡ଼େ ଯେ, ତାଳଚେର ଅଂଚଳ ବର୍ତମାନ କେତେ ସୁରକ୍ଷିତ! ଏବେ ହାଟାତୋଟା ମାର୍କେଟ ଏକ ବସ୍ତ୍ରାଳୟ ସମ୍ମୁଖରେ ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ କଙ୍କିଳି ଗ୍ରାମର ଦୁଃଖବନ୍ଧୁ ନାଥ (୫୮) ତାଙ୍କ ମଟରସାଇକେଲ ରଖି କପଡ଼ା କିଣିବାକୁ ଦୋକାନକୁ ଯାଇଥିଲେ । ସେଠାରୁ ଫେରିବାପରେ ତାଙ୍କର ମଟରସାଇକେଲଟି ଆଉ ନଥିଲା । ସେହିଭଳି ୩ତାରିଖ ଦିନ ବହ୍ଲର ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରକରୁ ବ୍ୟାଟେରୀ ଚୋରି, ୮ତାରିଖ ରାତିରେ ୪ଟି ସ୍ଥାନରୁ ଲୁଟପାଟ୍, ଦୃର୍ବୁତମାନେ ଖଣ୍ଡାରେ ହାଣି ଜୈନିକ ବ୍ୟକ୍ତିଙ୍କୁ ଘାଇଲା କରିବା ସହ ତାଙ୍କ ମୋବାଇଲ୍ ଛଡ଼ାଇ ନେବା ଘଟଣା ଘଟୁଥିଲେ ମଧ୍ୟ ପୋଲିସ୍ କିପରି ଭାବେ ଦୃର୍ବୁତଙ୍କ ଟେର ପାଉନାହିଁ ।ତାଳଚେର ସହର ସାରା ସିସି କ୍ୟାମେରା ଖଞ୍ଜା ହୋଇଛି ହେଲେ, ଅଳ୍ପ କିଛି ଦିନପରେ ସେଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ି ରହଛି । ତେବେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କାହା ସ୍ୱାର୍ଥରେ ଓ କାହିଁକି ଏହାକୁ ଖଞ୍ଜା ହୋଇଛି ତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏକବର୍ଷ ମଧ୍ୟରେ ଡ଼୍ରଗ୍ସ ବ୍ୟବସାୟ ଓ ସେବନ ଅତ୍ୟଧିକ ହୋଇପଡ଼ିବାରୁ ଦୃର୍ବୁତମାନେ ପୋଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଏପରି ଗୋଟି ପରେ ଗୋଟିଏ କାଣ୍ଡ ଭିଆଉଥିବା ତାଳଚେର ଅଂଚଳରେ ଚର୍ଚ୍ଚା ପରିସରକୁ ଆସିଛି । ତେଣୁ ଯଦି ପୋଲିସ୍ ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନକରେ ତେବେ ଆଗାମୀ ଦିନରେ ତାଳଚେର ଅଂଚଳରେ ଚୋରି ଓ ବିଭିନ୍ନ ଅପରାଧିକ ଘଟଣା ଚରମସୀମାରେ ପଂହଚିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।



