ଜଳବନ୍ଦୀରେ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ, ଡେଙ୍ଗୁ ବ୍ୟାପିବା ସମ୍ଭାବନା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ କାଣ୍ଡଶର ପଞ୍ଚାୟତ କାର୍ଯ୍ୟାଳୟ
ଅନୁଗୋଳ: ବଅଁରପାଳ ବ୍ଳକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଜଳବନ୍ଦୀ ଘେରରେ ରହିଛି । ବର୍ଷା ଦିନ ହେତୁ ଗ୍ରାମର ଡ୍ରେନ ଗୁଡିକ ସଫା ନହେବା କାରଣରୁ ଅଳିଆ ଆବର୍ଜନା, ପାଇଖାନା ମଇଳା ପାଣି ଆସି ପଞ୍ଚାୟତ ସମୂଖରେ ଜମା ହୋଇ ରହିଛି । ଯାହାଫଳରେ ପାଣି ଯିବାରେ ଅସୁବିଧା ହେଉଛି।ଏହି ବାଟ ଦେଇ ଦୈନଦିନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା ଓ ପଞ୍ଚାୟତ କର୍ମଚାରୀ ମାନେ ଯିବା ଆସିବା କରୁଥିବା ବେଳେ ନିଷ୍କାସନ ବ୍ୟବସ୍ଥା କରୁ ନାହାନ୍ତି । ଏହା ସହ ଗ୍ରାମର ବୃଦ୍ଧ ବୃଦ୍ଧା ବାଦ୍ଧକ୍ୟ ଭର୍ତ୍ତା ଓ ଅଭିଯୋଗକାରୀ ତଥା ହିତାଧିକାରୀ ମହିଳା ମାନେ ଲୁଗା ଟେକି ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ କାଦୁଅରେ ଯିବା ଆସିବା କରୁଛନ୍ତି । ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପୁଥିବା ବେଳେ ଡ୍ରେନ ଓ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନା ସଫା ଓ ନିଷ୍କାସନ ନକରିବା ହେତୁ ଗ୍ରାମବାସୀଙ୍କ ଜୀବନ ଅନିଶ୍ଚିତ ଦେଇ ଗତି କରୁଅଛି । ବର୍ଷା ଦିନ ପୂର୍ବରୁ ଡ୍ରେନ ଗୁଡିକ ସଫା କରା ଯାଇ ନଥିବାରୁ ଏହି ସମସ୍ୟା ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଡେଙ୍ଗୁ, ମ୍ୟାଲେରିଆ, ହଇଜାର ଗନ୍ତାଘର ବର୍ତ୍ତମାନ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ବୋଲି ସାଧାରଣରେ ନିନ୍ଦା ପ୍ରକାଶ ପାଇଅଛି । ଏଦିଗରେ ବ୍ଳକ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ନିଷ୍କାସନ ବ୍ୟବସ୍ଥା କରାଇଲେ ମାରାତ୍ମକ ରୋଗ ଦାଉ ରୁ ଗ୍ରାମବାସୀ ରକ୍ଷା ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଅଛି ।ଅନୁଗୋଳରୁ ସୁଧାକର ସାହୁ



