ଇଁଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ନେଇଛି । ରାହୁଲ-ଜୟସ୍ବାଲ ମଧ୍ୟାହ୍ନଭୋଜନ ବିରତି ପର୍ଯ୍ୟନ୍ତ ଅପୂର୍ବ ଏକାଗ୍ରତାର ପରିଚୟ ଦେବାରୁ ଭାରତ ବିନା କ୍ଷତିରେ ୭୮ ରନ୍ କରିନେଇଥିଲା । ଏହି କାରଣରୁ ଇଂଲଣ୍ଡ ଉପରେ ପାଲଟା ଚାପ ସୃଷ୍ଟି ହୋଇଥିଲା।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବାର ଚାପକୁ ଦୁଇ ଓପନର୍ କେଏଲ୍ ରାହୁଲ (୪୬) ଓ ଯଶସ୍ବୀ ଜୟସ୍ବାଲ (୫୮) ସଫଳତାର ସହ ପ୍ରତିହତ କରିବା ପରେ ସାଇ ସୁଦର୍ଶନ (୬୧)ଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ଉପଅଧିନାୟକ ଋଷଭ ପନ୍ତ ଆହତ ହେବା କିନ୍ତୁ ଦଳର ଚିନ୍ତା ବଢ଼ାଇଛି।
୯୪ ରନ୍ର ଦଳୀୟ ସ୍କୋର୍ରେ ରାହୁଲ-ଜୟସ୍ବାଲ ଅଲଗା ହୋଇଥିଲେ। ଜୟସ୍ବାଲ ଅବଶ୍ୟ ଧୈର୍ଯ୍ୟର ସହ ଖେଳି ନିଜ ଦ୍ବାଦଶ ଏବଂ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଅର୍ଦ୍ଧଶତକ ପୂରଣ କରିଥିଲେ।ସ୍ପିନର୍ ଲିଆମ ଡ’ସନ୍ ଅର୍ଦ୍ଧଶତକର ଠିକ୍ ୮ ରନ୍ ପରେ ତାଙ୍କୁ ଆଉଟ୍ କରିବା ଇଂଲଣ୍ଡକୁ ଉତ୍ସାହିତ କରିଥିଲା। ମାତ୍ର ୨୦ ରନ୍ ପରେ ଗିଲ୍ ପ୍ରତିପକ୍ଷ ଅଧିନାୟକ ବେନ୍ ଷ୍ଟାକ୍ସଙ୍କ ଇନ୍ ସୁଇଂ ବଲ୍କୁ ସଟ୍ ପ୍ରଦାନ ନକରି ଏଲବିଡ୍ଲ୍ୟୁ ହେବା ଭାରତୀୟ ପ୍ରଶଂସକଙ୍କୁ କିନ୍ତୁ ନିରାଶ କରିଥିଲା। ଦ୍ବିତୀୟ ଅଧିବେଶନରେ ଇଂଲଣ୍ଡ ୭୧ ରନ୍ ଖର୍ଚ୍ଚ କରି ୩ ୱିକେଟ୍ ଅକ୍ତିଆର କରିଥିଲା।ତୃତୀୟ ତଥା ଶେଷ ଅଧିବେଶନର ପ୍ରଥମ ୪୫ ମିନିଟ୍ରେ ସୁଦର୍ଶନଙ୍କ ଲଢ଼ୁଆ ଖେଳ ଏବଂ ପନ୍ତଙ୍କ ପ୍ରତିଆକ୍ରମଣ ଆକର୍ଷଣ ପାଲଟିଥିଲା। ତେବେ ୬୮ତମ ଓଭରର କ୍ରିସ୍ ଓକ୍ସଙ୍କ ୟର୍କର ଲେନ୍ଥ ବଲ୍କୁ ରିଭର୍ସ ସୁଇପ୍ କରିବାକୁଯାଇ ପନ୍ତ ଆହତ ଅବସର ହେବା ଭାରତ ପାଇଁ ବଡ଼ ଝଟ୍କା ଥିଲା।ଏହା ପୂର୍ବରୁ ସୁଦର୍ଶନ ଓ ପନ୍ତ ଚତୁର୍ଥ ୱିକେଟ୍ରେ ଯୋଡ଼ିଥିବା ୭୨ ରନ୍ ଟିମ୍ ଇଣ୍ଡିଆ ପାଇଁ ଦ୍ବିତୀୟ ସର୍ବାଧିକ ଭାଗୀଦାରି ଥିଲା। ପନ୍ତ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହେବା ପରେ ସୁଦର୍ଶନ ଓ ରବୀନ୍ଦ୍ର ଜାଡ଼େଜା ଭାରତୀୟ ପାଳିକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ। ହେଲେ ଷ୍ଟୋକ୍ସ କୌଶଳକ୍ରମେ ସୁଦର୍ଶନଙ୍କୁ ଶିକାର କରି ଭାରତ ପାଇଁ ସବୁଠୁ ବଡ଼ ଅଡ଼ୁଆ ଭାବେ ଉଭା ହୋଇଥିଲେ।ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି: ୮୩ ଓଭରରେ ୨୬୪/୪ (ସୁଦର୍ଶନ ୬୧, ଜୟସ୍ବାଲ ୫୮, ରାହୁଲ ୪୬, ପନ୍ତ ୩୭ ଆହତ ଅବସର, ଜାଡ଼େଜା ୧୯*, ଶାର୍ଦୁଳ ୧୯*, ଷ୍ଟୋକ୍ସ ୨/୪୭, ଓକ୍ସ ୧/୪୩)।
ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍ ପାଇଁ ଅପ୍ରତ୍ୟାଶିତ ଭାବେ ଭାରତୀୟ ଦଳରେ ସାମିଲ ହେବା ସହ ହରିୟାଣାର ୨୪ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଅଂଶୁଲ କମ୍ବୋଜ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଭାରତୀୟ ଟୋପି ପ୍ରଦାନ କରାଯାଇଥିଲା। ୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ କମ୍ବୋଜ ୨୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭୯ ୱିକେଟ୍ ନେଇଛନ୍ତି।ଗତ ରଣଜୀ ଋତୁରେ ୬ ମ୍ୟାଚ୍ରୁ ୩୪ ୱିକେଟ୍ ନେଇଥିଲେ ସେ। କମ୍ବୋଜ ମଧ୍ୟ ୨୦୨୪-୨୫ ଋତୁରେ ଦଲୀପ ଟ୍ରଫିର ସର୍ବାଧିକ ୱିକେଟ୍ ସଂଗହକାରୀ ଥିଲେ। ସେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଆଇପିଏଲ୍ ଖେଳିଛନ୍ତି। ୨୦୨୨ରେ ତ୍ରିପୁରା ବିପକ୍ଷରେ ରଣଜୀ କ୍ୟାରିୟର୍ ଆରମ୍ଭ କରିଥିବା କମ୍ବୋଜ ଗତବର୍ଷ ନଭେମ୍ବର ମାସରେ ତୃତୀୟ ଭାରତୀୟ ବୋଲର ଭାବେ କେରଳର ସମସ୍ତ ୧୦ଟି ଯାକ ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ। ସିମ୍ ଓ ସୁଇଂ ଦକ୍ଷତା ଲାଗି ତାଙ୍କୁ କିଂବଦନ୍ତି ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ପୂର୍ବତନ ଅଫ୍ସ୍ପିନର ଆର୍ ଅଶ୍ବିନ ଉଚ୍ଚ ପ୍ରଶଂସା କରିସାରିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


