ରାୟଗଡ଼ା : SOTET (ସ୍ପେଶାଲ ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ୍ ଟିମ ରାୟଗଡ଼ା ଜିଲ୍ଲା ଆମ୍ବଦଳାର ଶିକ୍ଷକ ବିଜୟ ମିଶ୍ରଙ୍କୁ ଗିରଫ କରିଛି । ଏହି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା ।
ସ୍ଥାନୀୟ ପୁଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ଖବର ମିଳିପାରିନି I ସୂଚନାଯୋଗ୍ୟ, କିଛି ଦିନ ତଳେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ଜୁଲାଇ ୨୦ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହୋଇଥାନ୍ତା । ସକାଳ ୯ ଟାରୁ ସାଢ଼େ ୧୧ ଟା ଯାଏ ପେପର-୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହୋଇଥାନ୍ତା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଜଣ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଇଥାନ୍ତେ ।ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ଦୁଇଟି ଯାକ ପେପର୍ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍ରୁ ମୋବାଇଲ୍କୁ ଘୂରୁଥିଲା । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିବା ପରେ ପରୀକ୍ଷା ବାତିଲ କରାଯାଇଥିଲା ।



