ଜିଲାବିଜେପି ଦ୍ବାରା ବିଜେଡି ଓ କଂଗ୍ରେସ ସୁପ୍ରିମୋ ଙ୍କ କୁଶ ପିତୁଳା ଜାହ
କେନ୍ଦୁଝର : ବିଜେପି ସରକାରକୁ ବଦନାମ୍ କରିବାକୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ୍ ଦଳର ଆଭିମୁଖ୍ୟ ବିରୋଧରେ କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହିତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକରେ ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି ବିଜେପିର କର୍ମକର୍ତ୍ତା । ବର୍ଷାରେ ଭିଜି ବିଜେପି ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ତଥା ଜିଲ୍ଲା ବିଜେପିର ନେତା ଓ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବିରୋଧୀ ବିଜେଡ଼ି ଓ କଂଗ୍ରେସ୍ ଦଳ ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ସହ, ସରକାରଙ୍କୁ ବଦନାମ୍ କରିବା ଉଦ୍ୟମ ବିରୋଧରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପିର ମାତ୍ର ୧ବର୍ଷର ଲୋକପ୍ରିୟ ସରକାର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ, ଏହାକୁ ବିରୋଧୀ ସହି ନପାରି ସରକାରଙ୍କୁ ବଦନାମ୍ କରିବାକୁ ବିଭିନ୍ନ ପନ୍ଥା ଆପଣାଉଥିବା ଅଭିଯୋଗ କରିଥିଲେ ବିଜେପିର ନେତା । ଶେଷରେ ସେମାନେ ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।ରଞ୍ଜନ ବେହେରା ଙ୍କ ରିପୋର୍ଟ



