ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା । ତା’ପରେ ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ଅଞ୍ଚଳକୁ କରିଦେଇଛି ଛାରଖାର । ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି । ଅନେକ ଘର ଏବଂ ହୋଟେଲ ଧ୍ୱଂସ ହୋଇଯାଇଛି । ଏହା ସହିତ ହର୍ସିଲରେ ହେଲିପ୍ୟାଡ୍ ଏବଂ ସେନାର କ୍ୟାମ୍ପ ମଧ୍ୟ ବାଦଲଫଟା ବର୍ଷାରେ କ୍ଷତିଗ୍ରସ୍ଥ ହୋଇଛି ।
ଖାଲି ଏତିକି ନୁହେଁ ଭାରତୀୟ ସେନାର ୮ ରୁ ୧୦ ଜଣ ଯବାନ ନିଖୋଜ ଥିବାର ମଧ୍ୟ କୁହାଯାଉଛି ।ଧରାଲିରେ ବିପର୍ଯ୍ୟୟ ଆସିବା ପରେ ସେନାର ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେନା ଏକ ପୋଷ୍ଟରେ କହିଛି ସୂଚନା ମିଳିବା ମାତ୍ରେ ଆଇବ୍ରେକ୍ସ ବ୍ରିଗେଡର ଯବାନମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ବିପର୍ଯ୍ୟୟରେ ହୋଇଥିବା କ୍ଷତିର ଆକଳନ କରାଯାଉଛି । ବିପର୍ଯ୍ୟୟର ଘଡ଼ିସନ୍ଧି ମୁହୂର୍ତ୍ତରେ ସେନା ଲୋକମାନଙ୍କ ସହିତ ଅଛଛି ।



