ସମ୍ବଲପୁରୀ ସର୍ଟ ଫିଲ୍ମ “ବାପା” ର ଶୁଭ ଉନ୍ମୋଚନ

ଭଟିଲ (ଅଭିମନ୍ୟୁ ପଧାନ):- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁରୀ ସର୍ଟ ଫିଲ୍ମ “ବାପା” ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ଭଟିଲ ବିଧାୟକ ଇରାସିସ୍ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଫିଲ୍ମ ର ଶୁଭ ଉନ୍ମୋଚନ କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ନରେନ୍ଦ୍ର ପଣ୍ଡା, ନିବେଦିତା ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ତଥା ବିଶିଷ୍ଟ ଅଭିନେତା ବିରେନ୍ଦ୍ର ସାହୁ, ଅମ୍ବାଭୋନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ପ୍ରଶାନ୍ତ ପଣ୍ଡା କେଶାଇପାଲି ସରପଞ୍ଚ ଶୁପାଲ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମାଁ ସରସ୍ଵତୀଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରିବା ପରେ ଫିଲ୍ମ ପ୍ରଦର୍ଶିତ କରାଯାଇଥିଲା I ଏହି ଫିଲ୍ମର କାହାଣୀ ରଚନା ତଥା ନିର୍ଦ୍ଦେଶନା ଆୟୁଷ୍ମନ୍ତ ପୁରୋହିତ କରିଥିବା ବେଳେ ହାସ୍ୟ କବି ଦେବେନ୍ଦ୍ର ସାହୁ ସଂଳାପରେ ସହଯୋଗ କରିଥିଲେ ଏବଂ ଫିଲ୍ମର ମୁଖ୍ୟ ଆକର୍ଷଣ ବାପା ଚରିତ୍ରରେ ଶିଶିର ପୁରୋହିତ ଅଭିନୟ କରିଥିଲେ । ସମ୍ବଲପୁରୀ ଭାଷାରେ ନିର୍ମିତ ୩୫ ମିନିଟ୍ ର ଏହି କ୍ଷୁଦ୍ର ଫିଲ୍ମର ନିଖୁଣ ଅଭିନୟ ତଥା ନିଜ ପୁଅ ଝିଅଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାପାର ସଂଘର୍ଷ ଉପରେ ଆଧାରିତ ହୃଦୟ ସ୍ପର୍ଶୀ କାହାଣୀ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମନକୁ ଛୁଇଁ ପାରିବ ବୋଲି ଉପସ୍ଥିତ ଅତିଥି ଗଣ ମତ ବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବହୁ ଜନ ସମାଗମ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା ଦେବେନ୍ଦ୍ର ସାହୁ କରିଥିବା ବେଳେ ପଞ୍ଚମ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।



