ଭୂବନେଶ୍ବର: ଏକ ଗଣମାଧ୍ୟମର ‘ରାଇଜିଂ ଓଡ଼ିଶା’ କନ୍କ୍ଲେଭରେ ଯୋଗଦେଇ ମମତାଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗର ବୋଲି ଦାବି କରୁଥିବା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ରସଗୋଲାକୁ ବି ଦିନେ ନିଜର କହୁଥିଲେ, ଆଉ ଏବେ ଦୀଘାରେ ଜଗନ୍ନାଥ ଧାମ କରିଛନ୍ତି କହି ମୋହନ ମମତାଙ୍କୁ ସମାଲୋଚନା କରିଥିଲେ।
ସତ୍ୟତା ଜାଣିଥିବା ଲୋକେ ଏହାକୁ କେବେ ଗ୍ରହଣ କରିବେନି। ଓଡ଼ିଶା କିଭଳି ପଶ୍ଚିମବଙ୍ଗର ଲୋକଙ୍କୁ ସୁରକ୍ଷା ଓ ଆଶ୍ରୟ ଦେଇଆସିଛି ତା’ର ହିସାବ ମମତା ବୁଝିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଗରିବ, ମହିଳା, କୃଷକ ଓ ଯୁବକଙ୍କୁ ଫୋକସ୍ରେ ରଖି ଡବଲ ଇଂଜିନ ସରକାର କିଭଳି ଓଡ଼ିଶା ବିକାଶକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି, ସେ ସଂପର୍କରେ ମୋହନ ଆଲୋକପାତ କରିଥିଲେ। ଧାନର ଏମ୍ଏସ୍ପିଠୁ ଆରମ୍ଭ କରି ଅଭିଯୋଗ ଶୁଣାଣି ଯାଏ, ପ୍ରଥମ ଦିନର କ୍ୟାବିନେଟ ବୈଠକଠାରୁ ଆଜିର ପୋସ୍କୋ କାରଖାନା ଖବର ଯାଏ କିଭଳି ଓଡ଼ିଶା ବିକାଶରେ ଯୋଗଦାନ କରୁଛି ତାହା ବଖାଣିଥିଲେ।ଶିଳ୍ପାୟନରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନ୍କ୍ଲେଭ, ଓଡିଶା ଟେକ୍ସ ଟାଇଲ କନ୍କ୍ଲେଭ୍ , ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ବର୍ତ୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ସରକାରୀ ନିଯୁକ୍ତି ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୮୫ ହଜାର ନିଯୁକ୍ତି ପାଇଁ ପ୍ରକ୍ରିୟା ହିସାବ ଦେଇଥିଲେ ମୁଖ୍ୟମନ୍ତ୍ରୀ।ଉକ୍ତ ଚାନେଲରେ ରାତି ୮ ଟାରେ ପ୍ରସାରିତ ହେଉଥିବା ‘ଅସଲ କଥା’ ତାଙ୍କୁ ଭଲ ଲାଗେ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଥିଲେ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ରାଜ୍ୟରେ ଶିଳ୍ପ ସମ୍ଭାବନା ଓ ନିଯୁକ୍ତି ସୁଯୋଗ ସଂପର୍କରେ କନ୍କ୍ଲେଭ୍ରେ ଆଲୋଚନା କରିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିକଶିତ ଗାଁ, ବିକଶିତ ଓଡ଼ିଶାର ରୋଡ୍ମ୍ୟାପ୍ ଓ ସଫଳତା ଉଲ୍ଲେଖ କରିଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଇଜିଂ ଓଡ଼ିଶା କନ୍କ୍ଲେଭ୍ରେ ସହରର ସୁବିଧା ଓ ସରକାରଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀମନ୍ଦିର ସଂସ୍କାରର ସବୁ ଦିଗ ଉପରେ ଆଲୋଚନା କରିଥିଲେ । କୃଷି କିଭଳି ଓଡ଼ିଶା ବିକାଶର ଇଂଜିନ ପାଲଟିଛି, ସେ ନେଇ ଆଲୋକପାତ କରିଥିଲେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ।ତେବେ ‘ରାଇଜିଂ ଓଡ଼ିଶା’ କନ୍କ୍ଲେଭରେ ‘ଆଗକୁ ବଢୁଛି ଓଡ଼ିଶା’ ଶୀର୍ଷକରେ ଏକ ଦଳଗତ ଆଲୋଚନା ଆୟୋଜିତ ହୋଇଥିଲା। ବିଜେପି ପକ୍ଷରୁ ବିରଞ୍ଚି ତ୍ରିପାଠୀ, ବିଜେଡି ପକ୍ଷରୁ ପ୍ରତାପ ଜେନା ଏବଂ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସ ଏଥିରେ ଅଂଶ ଗ୍ରହଣ କରି ନିଜସ୍ବ ମତ ଉପସ୍ଥାପନ କରିଥିଲେ ।ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ଏକ ସ୍ବତନ୍ତ୍ର ଉପସ୍ଥାପନା ‘ହଲ୍ ଡାକୁଛି ଆ’ ଉପସ୍ଥାପନ କରାଯାଇଥିଲା । ଏହା ଜରିଆରେ ଓଡ଼ିଆ ଚଳଚ୍ଚିତ୍ର, ଅଭିନେତା ଓ ଦର୍ଶକଙ୍କ ତ୍ରିକୋଣୀୟ ସଂପର୍କ ଉପରେ ସାଂପ୍ରତିକ ଚିତ୍ର ପ୍ରଦାନ କରିଥିଲେ ଅନୁଭବ। ସେହିଭଳି ଲୋକପ୍ରିୟ ୟୁଟ୍ୟୁବର ନଟିଆ, କ୍ରିଷ୍ଣା ଓ ନିତିଆନାଙ୍କୁ ନେଇ ‘ଷ୍ଟାର୍ ବନାଉଛି ମୋବାଇଲ୍’ ଶୀର୍ଷକ ଦଳଗତ ଆଲୋଚନା ଆୟୋଜିତ ହୋଇଥିଲା ।ସେହିପରି ଉକ୍ତ ଗଣମାଧ୍ୟମର ଚିଫ୍ କଣ୍ଟେଣ୍ଟ ଅଫିସର ସନ୍ତୋଷ ମେନନ ଓ ମ୍ୟାନେଜିଂ ଏଡିଟର ଧ୍ରୁବଜ୍ୟୋତି ପ୍ରମାଣିକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂପାଦକ ନରେନ୍ଦ୍ରନାଥ ଜେନା ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।



