ରାଜ୍ୟ ନିର୍ବାଚ଼ନ କମିଶନରଙ୍କ ସମୀକ୍ଷା ବୈଠକ
ଢ଼େଙ୍କାନାଳ, ୨୧.୮.୨୦୨୫- ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ, ଜିଲାରେ ଅନୁଷ୍ଠିତ ହୋଇଯାଇଥିବା PRI (ତ୍ରୀସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା ଏବଂ ULB (ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା) ନିର୍ବାଚ଼ନ ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀ ଏହି ନିର୍ବାଚ଼ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । PRI ଏବଂ ULB ର ନିର୍ବାଚନ ସମୟରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ନିର୍ବାଚ଼ନର ସୁପରିଚାଳନା ପାଇଁ ପୁଲିଂ ବୁଥ୍ ସ୍ଥାପନ, ପୁଲିଂ କର୍ମଚାରୀଙ୍କ ନିୟୋଜନ ପ୍ରକ୍ରିୟା, ପ୍ରତ୍ୟେକ ବୁଥରେ ମତଦାନ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା, ଉତ୍ତେଜନା ପ୍ରବଣ ବୁଥରେ ସୁରକ୍ଷାା ବ୍ୟବସ୍ଥା, ଭୋଟ ଗଣତି ପାଇଁ ହୋଇଥିବା ବ୍ୟବସ୍ଥା ସଂପର୍କରେ ଅବଗତ ହୋଇଥିଲେ । ଆଗାମୀ ନିର୍ବାଚନ ସମୟରେ ବ୍ୟବହାର ପାଇଁ ମହଜୁଦ ଥିବା ବାଲଟ ବକ୍ସକୁ ସୁରକ୍ଷିତ ରଖିବା ପାଇଁ ଯତ୍ନବାନ୍ ହୋଇ ଏହାର ସଠିକ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ , ଆଇ.ଏ.ଏସ. ପ୍ରୋବେସନ ଭଗତ ସାମଲ କଲ୍ୟାଣ ରାଓ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଦିପ୍ତି ରଂଜନ ସେଠୀ, ସଦର ଉପ ଜିଲ୍ଲାପାଳ ଶ୍ରୀ ବିଭୁଧ ଗଡ଼ନାୟକ, କାମାକ୍ଷାନଗର ଉପ ଜିଲ୍ଲାପାଳ ଶ୍ରୀ ଦୀନମଣି ନାଏକ ଏବଂ ହିନ୍ଦୋଳ ଉପ ଜିଲ୍ଲାପାଳ ଶ୍ରୀ ପ୍ରଭାସ କୁମାର ବେଉରାଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମସ୍ତ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଓ ବିଡ଼ିଓ ମାନେ ଉପସ୍ଥିତ ରହି ନିର୍ବାଚନ କମିଶନରଙ୍କୁ ନିବାଚ଼ନୀ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଶେଷରେ ସଦର ଉପ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



