ପାଣି ଘେରରେ ୯ଟି ପରିବାର : ପ୍ରଶାସନର ନାହିଁ ଦୃଷ୍ଟି
ତାଳଚେର, ୨୫/୦୮ ତାଳଚେରରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ରାସ୍ତା, ଖାଲୁଆ ସ୍ଥାନ ଓ ତଳି ଅଂଚଳରେ କୁତ୍ରିମ ହ୍ରଦ ସୃଷ୍ଟି ହୋଇ ଅପ୍ରିତୀକର ପରିସ୍ଥିତି ଦେଖା ଦେଇଛି । ଏହି ଲଗାଣ ବର୍ଷାରେ କୋଠା ଘର ଛାତରୁ ବର୍ଷା ପାଣି ଲିକେଜ ହେବା ସହିତ ଘର ସନ୍ତସନ୍ତିଆ ରହୁଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ଚାଳଝପର ଘର ପଚାରେ କିଏ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ତାଳଚେର ଜଗନ୍ନାଥପୁର ପଂଚାୟତର ଶେଷ ସୀମାରେ ରହିଥିବା ୯ଟି ପରିବାର ୬ଦିନ ହେବ ଜଳବନ୍ଦୀରେ ରହିଛନ୍ତି । ଏମାନେ ଝାଟିମାଟି ଘରକରି କାହିଁ କେଉଁକାଳରୁ ଏଠାରେ ରହି ଦିନ ମଜୁରୀଆ ଭାବେ ବନ୍ତୁଲ ପଂଚାୟତ ଅନ୍ତର୍ଗତ ତାଳଚେର ଥର୍ମାଲ ପାଚେରୀ ପାଖରେ ବସବାସ କରି ଆସୁଛନ୍ତି । ଦିନସାରା ମୂଲକାର୍ଯ୍ୟକରି ରାତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଉକ୍ତ ଲଗାଣ ବର୍ଷା ବର୍ତମାନ ସାଜିଛି ସେମାନଙ୍କୁ ବାଧକ । ଲଗାଣବର୍ଷାରେ ତାଙ୍କ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବାରୁ ସେ ଘର ଗୁଡ଼ିକ କେତେ ବେଳେ ଯେ ଭୂଷିଡ଼ିବ ତାହା କହିବା ଅସମ୍ଭବ । ବର୍ତମାନ ପରିସ୍ଥିତିରେ ଶୋଇବା, ଖାଇବା, ରୋଷଇ ସେମାନଙ୍କ ପାଇଁ ଏକ ଦୁଃଖ ଦାୟକ ହୋଇଛି । ଏହି ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପାଖରେ ବର୍ତମାନ ସ୍ଥାନୀୟ ପ୍ରଶାସନ ପଂହଚି ନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।



