ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଅନୁଗୋଳ ଜିଲ୍ଲା ଗସ୍ତ

ଅନୁଗୋଳ, ତା.୦୬.୦୯: – ଆଜି ପୂର୍ବାହ୍ନରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି କଣିହାଁ ଠାରେ ସମଲ ବ୍ୟାରେଜ କଲ୍ୟାଣ ମଣ୍ଡପର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନୁଗୋଳ ଜିଲ୍ଲାର ତାଳଚେର, କଣିହାଁ, ବଅଁରପାଳ ଓ ଛେଣ୍ଡିପଦା ବ୍ଳକର ଖଣି ପ୍ରଭାବିତ ଗ୍ରାମ ଗୁଡିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମେଗା ଗ୍ରାମୀଣ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଊଦଘାଟନ କରିଥିଲେ ।

ଏହି ପ୍ରକଳ୍ପ ପାଇଁ ପାଣିର ଊସ୍ ବ୍ରାହ୍ମଣୀ ନଦୀର ସମଲ ବ୍ୟାରେଜରେ ନିର୍ମିତ ଇଣ୍ଟେକ୍ ୱେଲ ଅଟେ, ଯାହାର ଡିଜାଇନ୍ କ୍ଷମତା ୭୭.୧୫ ଏମ୍ ଏଲ୍ ଡି, ଯାହା ତାଳଚେର, କଣିହାଁ, ବଅଁରପାଳ ଓ ଛେଣ୍ଡିପଦା ପ୍ରକଳ୍ପକୁ ଆବର୍ତ୍ତ କରିଛି । ଜଳ ଶୋଧନା କାରଖାନାର ସମୁଦାୟ କ୍ଷମତା ୪୯.୭୨ ଏମ୍ ଏଲ୍ ଡି ଯାହା ତାଳଚେର, କଣିହାଁ ଓ ବଅଁରପାଳ ବ୍ଳକ ପାଇଁ ବିକଶିତ କରାଯାଇଛି । ପରେ ପରେ ମାନ୍ୟବର ମନ୍ତ୍ରୀ କଣିହାଁ ଠାରେ ତାଳଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭରେ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

କଣିହାଁ ସ୍ଥିତ ପ୍ରଜାମଣ୍ଡଳ ଭବନ ପରିସରରେ ଆୟୋଜିତ ୮୮ ତମ ପ୍ରଜାମଣ୍ଡଳ ଦିବସ ପାଳନ ସମାରୋହରେ ଯୋଗ ଦେଇ ତାଳଚେର ମାଟିର ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସରେ ପ୍ରଜାମଣ୍ଡଳ ଆନ୍ଦୋଳନର ଗାଥା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।




