ସିଏମପିଏଫ ପେନସନ ବୃଦ୍ଧି ଦାବି
ଏଆଇସିପିଏସ ତରଫରୁ ଆସନ୍ତା ୧୫ ତାରିଖରେ କୋଲ ଇଣ୍ଡିଆ କାର୍ଯ୍ୟାଳୟ ଆଗରେ ଦିନିକିଆ ଧାରଣା
ତାଳଚେର, ୧୦/୯ ତାଳଚେରର ବିଭିନ୍ନ କୋଇଲାଖଣି ଗୁଡିକରେ କାର୍ଯ୍ୟକରି ବହୁ କର୍ମଚାରୀ ଓ ଶ୍ରମିକ ମାନେ ଅବସର ନେଇଥିବାବେଳେ ସେମାନଙ୍କୁ ଉପଯୁକ୍ତ ପେନସନ ମିଳୁନଥିବା ସହ ସେମାନେ ପାଉଥିବା ପେନସନ ବୃଦ୍ଧି କରିବା ଓ ସ୍ଵାସ୍ଥ୍ୟ ସୁବିଧା ପାଇବା କ୍ଷେତ୍ରରେ କର୍ମଚାରୀ ଓ ଅଧିକାରୀଙ୍କ କ୍ଷେତ୍ରରେ ତାରତମ୍ୟ ରହୁଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଲ ଓଡ଼ିଶା କୋଲ ପେନସନରସ୍ ଆସୋସିଏସନ୍ ଏମସିଏଲ ତାଳଚେର ଶାଖା ତରଫରୁ ଅଭିଯୋଗ କରାଯିବାସହ ସଂଘ ୪ ଦଫା ଦାବି ନେଇ ଆସନ୍ତା ୧୫ ତାରିଖରେ କୋଲ ଇଣ୍ଡିଆ ମୁଖ୍ୟାଳୟ କୋଲକୋତା ଠାରେ ଦିନିକିଆ ଧାରଣା ଦେବ ବୋଲି ସଂଘର ସଭାପତି ବିଭୂତି ସାହୁ ସୂଚନା ଦେଇଛନ୍ତି। ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ୨୭ ବର୍ଷ ହେଲା ସିଏମପିଏସ ୯୮ ଧରା ୨୨ ମୁତାବକ ପେନସନ ରିଭିଜନ ନହେବା, ସିପିଆରଏମଏସ ସ୍କିମ୍ ରେ ଉଭୟ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ସମାନ ପ୍ରୟାଗ ନହେବା, ୨୦୧୭ ମସିହାରୁ ଗ୍ରାଚ୍ୟୁଟି ବୃଦ୍ଧି ହେବା ଓ ୮/୩/୨୦୨୪ ରେ ଭାରତ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ମୁତାବକ ସର୍ବନିମ୍ନ ମାସକୁ ୧ ହଜାର ଟଙ୍କା ପେନସନ ବୃଦ୍ଧି ହେବା। ସୂଚନାଯୋଗ୍ୟ କୋଇଲା ଖଣି କର୍ମଚାରୀ ଓ ଶ୍ରମିକ ମାନେ ଅବସର ନେବାପରେ କୋଲ ମାଇନ୍ସ ପ୍ରୋଭିଡେଣ୍ଡ ଫଣ୍ଡ ଏବଂ ମିସଲାନିୟସ ପ୍ରଭିଜନ ଆକ୍ଟ ଅନୁଯାୟୀ ସେଥିରେ ଥିବା ତଦାନୀନ୍ତିନ ବ୍ୟବସ୍ଥା ଅନୁଯାୟୀ ପେନସନ ପାଉଛନ୍ତି। ଏହା ଏହି ସଂସ୍ଥାରେ ସିଏମପିଏଫ୍ ନାମରେ ଗତ ୧/୪/୧୯୯୮ ମସିହାରୁ ଲାଗୁ ହୋଇ ଆସୁଅଛି। ଏହି ବ୍ୟବସ୍ଥା ଅନୁଯାୟୀ କର୍ମଚାରୀ ମାନେ ଅବସର ସମୟରେ ପାଉଥିବା ପ୍ରାପ୍ୟର ଶତକଡା ୨୫ ହିସାବରେ ହିସାବ କରାଯାଇ ନିର୍ଦ୍ଦିଷ୍ଟ ପେନସନ ଦିଆଯାଉଛି। ମାତ୍ର ଏହି ପେନସନରେ କୌଣସି ପ୍ରକାରର ମହାଙ୍ଗା ଭତ୍ତା ଦିଆଯାଉନାହିଁ। ଏହାସହ ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ତିନି ବର୍ଷ ଅନ୍ତରରେ ଜଣେ ଆକଚୁଆରୀ ନିଯୁକ୍ତ କରି ପେନସନର ସମୀକ୍ଷା କରାଯାଇ ବୋର୍ଡରେ ଆଲୋଚନା ଓ ପୁନଃ ନିର୍ଣ୍ଣୟର ବ୍ୟବସ୍ଥା ଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦିଓ ବିଭିନ୍ନ ସମୟରେ ଗୋଟିଏ ଅଧିକୃତ ଉପ କମିଟି ଆଲୋଚନା କରି ଏହାର ସୁପାରିସ ଗୁଡ଼ିକୁ ବୋର୍ଡ ସମ୍ମୁଖରେ ଉପସ୍ଥାପନ କରୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହୋଇ ଶୀତଳଭଣ୍ଡାରରେ ପଡ଼ି ରହୁଥିବାରୁ ଅବସରପ୍ରାପ୍ତ କର୍ମଚାରୀ ମାନେ ଘୋର ଅବହେଳାର ଶିକାର ହେଉଛନ୍ତି। ଏହାସହ କୋଇଲା ଖଣିରେ ଉଭୟ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟ କରି ଉତ୍ପାଦନ ଓ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେଉଥିବାବେଳେ ଅବସର ପରେ ସେମାନଙ୍କୁ ମିଳୁଥିବା ସୁବିଧା କ୍ଷେତ୍ରରେ କାହିଁକି ତାରତମ୍ୟ କରାଯାଉଛି ବୋଲି ସଂଘ ପ୍ରଶ୍ନ କରିଛି। ସିପିଆରଏମଏସ ସ୍କିମରେ ଉଭୟ ଚାକିରି କାଳରେ ୪୦ ହଜାର ଲେଖାଏଁ ପୈଠ କରିଥିବାବେଳେ ଅବସର ପରେ କିନ୍ତୁ ଅଧିକାରୀ ମାନଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ଓ ଔଷଧ ପାଇଁ ବର୍ଷକୁ ୩୬ ହଜାର ଟଙ୍କା ନଗଦ ମିଳୁଥିବାବେଳେ କର୍ମଚାରୀଙ୍କ କ୍ଷେତ୍ରରେ କିନ୍ତୁ ମାତ୍ର ୮ ଲକ୍ଷ ଟଙ୍କାର ବୀମା ରାଶି ମିଳୁଛି। ଏହାସହ ସେମାନେ ଯଦି ଔଷଧ ବାବଦରେ ଖର୍ଚ୍ଚ କରନ୍ତି ତେବେ ଉପଯୁକ୍ତ କାଗଜ ପତ୍ର ଦେଖାଇଲେ ସେମାନଙ୍କୁ ସେ ଅର୍ଥ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି। ଯାହାକୁ କି ସଂଘ ତରଫରୁ ବିରୋଧ କରାଯାଇଛି। କର୍ମଚାରୀଙ୍କ ବିଧବା ପତ୍ନୀ ମାନେ ସ୍ଵାମୀଙ୍କ ପେନସନର ୬୦ ପ୍ରତିଶତ ପାଇବାକୁ ପିପିଓ ଦେଉଥିଲେ ମଧ୍ୟ ସେମାନେ ପେନସନ ପାଉନାହାନ୍ତି ଏହାସହ ବହୁ ଶ୍ରମିକ ଓ କର୍ମଚାରୀଙ୍କ ପତ୍ନୀ ଏ ମହାଙ୍ଗା ଯୁଗରେ ୩୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଉଥିବାବେଳେ ସେମାନଙ୍କୁ ଭାରତ ସରକାରଙ୍କ ନିଷ୍ପତି ମୁତାବକ ଅନୁନ୍ୟ ୧ ହଜାର ଟଙ୍କା ପ୍ରଦାନ କରାଯିବାକୁ ସଙ୍ଘ ଦାବି କରିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ସାହୁ, ବାବୁଲାଲ ଖଣ୍ଡୁଆଳ ତ୍ରିପୁର ଦେହୁରୀ, କୁଞ୍ଜବନ୍ ସାହୁ, ପ୍ରକାଶ କୁଣ୍ଡ , ପ୍ରହଲ୍ଲାଦ ପରିଡ଼ା, କରୁଣାକର ଖଣ୍ଡୁଆଳ, ପ୍ରକାଶ ଚନ୍ଦ୍ର ପ୍ରଧାନ, ସଙ୍ଗୀତ ପ୍ରଧାନ, ଉଦୟନାଥ ନାୟକ, ବି ଏନ ମହାପାତ୍ର ଓ କିଶୋର ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ ମାନେ ଯୋଗଦେଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


