
“ଅଣଧାନ ଚାଷ ବିହନ ବଣ୍ଟନରେ ମହାଶକ୍ତି ଫାଉଣ୍ଡେସନ ର ବ୍ୟାପକ ଦୁର୍ନୀତି! ଘଣ୍ଟ ଘୋଡାଉଛି ଜିଲ୍ଲାପ୍ରଶାସନ କାର୍ଯ୍ୟାନୁଷ୍ଠାନ କେବେ.?”
ବରଗଡ:୧୯/୯(ପବିତ୍ର ମେହେର) ବରଗଡ ଜିଲ୍ଲା ରେ ଥିବା ଅଣଧାନ ଚାଷ ବିହନ ବଣ୍ଟନରେ ମହାଶକ୍ତି ଫାଉଣ୍ଡେସନ ଏନ୍.ଜି.ଓ. ସଂସ୍ଥା ବ୍ୟାପକ ଦୁର୍ନୀତି କରିଥିବାର ଚାଷୀମାନଙ୍କ ଅଭିଯୋଗ ପରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତ କମିଟୀ ଘେଁସ ଓ ଅଞ୍ଚଳରେ ତଦନ୍ତ ଆରମ୍ଭ କରିଛନ୍ତି । ସୋହେଲା ଏଡିଓ ଶ୍ରୀ ଜ୍ଞାନେନ୍ଦ୍ର ଦଲେଇ ଙ୍କ ନେତୃତ୍ବରେ ସହକାରୀ ଗୋଷ୍ଠି କୃଷି ଅଧିକାରୀ ଅଭିଷେକ ଅଗ୍ରୱାଲ ଓ ଆଦର୍ଶ ସାହୁ ଘେଁସ ଅଞ୍ଚଳର ଘେଁସ, ତିଲେଇମାଲ, ବଡ଼ମାଲ, ଚୁହାନପାଲି, ବନ୍ଧପାଲି, ତୁରୀମୁଣ୍ଡା ଏଭଳି ବିଭିନ୍ନ ଗ୍ରାମର ଚାଷୀମାନଙ୍କ ପାଖକୁ ପହଞ୍ଚି ପଚାରି ବୁଝିଛନ୍ତି । ମହାଶକ୍ତି ଫାଉଣ୍ଡେସନ ଠାରୁ ଚାଷୀମାନେ କେତେ ପରିମାଣର ମୁଗ,ବିରି,ଚଣା, ଶୋରିଷ ପ୍ରଭୃତି ବିହନ,କୀଟନାଶକ ଔଷଧ ଓ ତତ୍ ସମ୍ବନ୍ଧିତ ସହଯୋଗ ପାଇଛନ୍ତି ତାହା ଚାଷୀମାନଙ୍କ ଠାରୁ ବୁଝି ଅଧିକ ତଦନ୍ତ ଜାରି ରଖିଛନ୍ତି । ଏହାପୂର୍ବରୁ ମଧ୍ଯ ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ, ଜିଲ୍ଲା କୃଷି ଅଧିକାରୀ ଲୋଚନ ମାଝି ଓ ବିଭାଗୀୟ ଅଧିକାରୀମାନେ ତଦନ୍ତ କରିଥିବା ବେଳେ ବର୍ତ୍ତମାନ ପୁଣି ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଗତ ୨୦୨୩-୨୪ ରବିୠତୁ ସିଜନ୍ ରେ ଅଣଧାନ ଚାଷ ପାଇଁ ଟେଣ୍ଡର ରେ ନେଇଥିବା ହାଇଦ୍ରାବାଦ ICRISAT ସଂସ୍ଥା ପକ୍ଷରୁ ମହାଶକ୍ତି ଫାଉଣ୍ଡେସନ କୁ ସୋହେଲା ବ୍ଲକ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ତେବେ ମହାଶକ୍ତି ଫାଉଣ୍ଡେସନ ନିଜର ଦାୟୀତ୍ବ ସଠିକ୍ ଭାବେ ନକରି ରାତାରାତି ଅଧିକ ଉପାର୍ଜନ କରିବା ଆଶାରେ ଚାଷୀମାନଙ୍କୁ ଜଣପ୍ରତି ୫ ରୁ ୧୦ କେଜି ବିହନ ବଣ୍ଟନ କରିଥିବାବେଳେ ତାଙ୍କ କାଗଜପତ୍ର ରେ ଜଣପ୍ରତି ୮୦ କେଜି ରୁ ୯୫ କେଜି ପର୍ଯ୍ୟନ୍ତ ଦିଆଯାଇଥିବା ପ୍ରକାଶ କରିଛନ୍ତି । ମହାଶକ୍ତି ଫାଉଣ୍ଡେସନ ର ଏଭଳି କଳାକାରନାମା ବା ଦୁର୍ନୀତି ବିଶେଷ ସୂତ୍ରରୁ ସୂଚନା ପାଇ ଚାଷୀମାନେ ଆର୍.ଟି.ଆଇ. ର ସହାୟତାକ୍ରମେ ଜାଣିବାକୁ ପାଇଥିଲେ । ଏନେଇ ଚାଷୀମାନେ ମହାଶକ୍ତି ଫାଉଣ୍ଡେସନ ନାମରେ ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ ଚାଷୀମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନିକ ପକ୍ଷରୁ ତଦନ୍ତଆଳ ଦେଖାଇ ବର୍ଷାଧିକକାଳ ପରେ ମଧ୍ଯ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଚାଷୀମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି । ତଦନ୍ତକାରୀ ବିଭାଗୀୟ ଅଫିସର ମାନଙ୍କ ପ୍ରତି ବିଶ୍ବାସ କରିପାରୁନଥିବା ଚାଷୀମାନେ ମତପ୍ରକାଶ କରିଛନ୍ତି । ଏନେଇ ତଦନ୍ତକାରୀ ଟିମ୍ ସହିତ ଥିବା ସହକାରୀ କୃଷି ଅଧିକାରୀଙ୍କୁ ବୁଝିବାରୁ ମହାଶକ୍ତି ଫାଉଣ୍ଡେସନକୁ ସବିଶେଷ ତଥ୍ଯ ଜମାଦେବାକୁ ବାରମ୍ବାର ଚିଠି କରିଥିଲେ ମଧ୍ଯ ସେମାନେ କୌଣସି ତଥ୍ଯ କୃଷିବିଭାଗ କୁ ଦେଉନଥିବା ପ୍ରକାଶ କରିଥିଲେ । ତେବେ କୃଷି ବିଭାଗର ନିର୍ଦ୍ଦେଶକୁ ପାଳନ କରୁନଥିବା ଏକ ସଂସ୍ଥାକୁ କାହାସ୍ବାର୍ଥରେ ପୁଣି ପରିଚାଳନା ଦାୟିତ୍ବ ଦିଆଯାଉଛି ସେନେଇ ଚାଷୀମହଲରେ ପ୍ରଶାସନିକ ଅଧିକାରୀ ଓ ସଂପୃକ୍ତ ଏନ୍.ଜି.ଓ. ସଂସ୍ଥା ମଧ୍ଯରେ ମଧୁଚନ୍ଦ୍ରିକା ଆହୁରି ସନ୍ଦେହ ସୃଷ୍ଟି କରୁଥିବାବେଳେ କେବେ ସଠିକ କାର୍ଯ୍ୟାନୁଷ୍ଠାନ ହେବ କି ନାଇଁ ସେ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି l



