ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୭ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ସରକାର ଫ୍ୟାକ୍ଟ୍ରୀ ଆଇନ, ୧୯୪୮ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି। ସଂଶୋଧନ ଅନୁଯାୟୀ, ମହିଳାମାନେ ଏବେ ଲିଖିତ ସମ୍ମତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷା ସର୍ତ୍ତ ସହିତ ସମସ୍ତ ଫ୍ୟାକ୍ଟ୍ରୀ ଓ ପ୍ରତିଷ୍ଠାନରେ ସକାଳ ୬ଟା ପୂର୍ବରୁ ଓ ରାତି ୭ଟା ପରେ ସମସ୍ତ ପ୍ରକାର କାମ କରିପାରିବେ।
ସେହିପରି ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବ। ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ। ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ। ଏହା ସହ ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି। ଘଟଗାଁ ତାରିଣୀ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ୨୨୬ କୋଟି ମଞ୍ଜୁର ହୋଇଛି। ୫୯ ଏକର ଜମିକୁ ନେଇ ପାରିପାର୍ଶ୍ବିକ ବିକାଶ ପାଇଁ DPR ପ୍ରସ୍ତୁତ ହେବ।



