ଅନୁଗୋଳ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବିଜନେସ ଏବଂ ପ୍ରଫିଟ୍ ସେଭିଂରେ ଟଙ୍କା ଲଗାଇବାରେ ପ୍ରଲୋଭିତ କରି ଟଙ୍କା ଲୁଟ କରୁଥିଲେ ଏହି ଠକ। ଅଭିଯୋଗ ଅନୁସାରେ ଅନୁଗୋଳ ରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ ଟଙ୍କା ସାଇବର ଲୁଟ ଘଟଣାର ତଦନ୍ତ କରିବା ସମୟରେ ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ।ସାଇବର ଠକମାନଙ୍କ ଟାର୍ଗେଟରେ ଥିଲେ ବ୍ୟବସାୟୀ, ଅବସରପ୍ରାପ୍ତ ଅଫିସର, ବ୍ୟାଙ୍କ କର୍ମଚାରୀ ଓ ବୟସ୍କ।
ସୂଚନା ଅନୁସାରେ, ଅନୁଗୋଳର ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ଠକ। ତେବେ ବ୍ୟବସାୟୀ ଜଣକ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଅନୁଗୋଳ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ସୋରରୁ ୩ ଜଣ, ଭଦ୍ରକରୁ ଜଣେ ଓ ଅନ୍ୟ ଜଣେ ପଶ୍ଚିମବଙ୍ଗ ଦାର୍ଜିଲିଂରୁ। ତଦନ୍ତରେ ବାଲେଶ୍ବର ସୋର ଅଞ୍ଚଳର ଦିଲ୍ଲୀପ କୁମାର ଲେଙ୍କା ଓ ବିଜୟ କୁମାର ଜେନାକୁ ଧରିଥିଲା।ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୨୮ ହଜାର ଟଙ୍କା, ଏକ ଦାମୀ କାର, ଏକାଧିକ ବ୍ୟାଙ୍କର ପାସବୁକ, ଚେକ୍, ଗୋଟେ ରୋଲେକ୍ସ ଘଣ୍ଟା ଓ ସୁନା ଚେନ ଜବତ ହୋଇଛି। ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ପର୍ଯ୍ୟନ୍ତ ଲୁଟ୍ର ଚେର ଲମ୍ବିଥିବା କହିଛନ୍ତି ଅନୁଗୁଳ ଏସ୍ପି।



