ବଲିଉଡର ପ୍ରବୀଣ ହାସ୍ୟ ଅଭିନେତା ଅସରାନି ଆଉ ନାହାନ୍ତି। ଦୀର୍ଘ ଅସୁସ୍ଥତା ପରେ ଆଜି ଅପରାହ୍ନ ୩ ଟାରେ ଏହି ଅଭିନେତାଙ୍କ ଦେହାନ୍ତ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇର ଆରୋଗ୍ୟ ନିଧି ହସ୍ପିଟାଲରେ ଅସରାନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁର କିଛି ଘଣ୍ଟା ମଧ୍ୟରେ ଅଭିନେତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।
ଅସରାନି ୧୯୬୭ ମସିହାରେ “ହରି କାଞ୍ଚ କି ଚୁଡିୟାଁ” ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ୫୮ ବର୍ଷର ଫିଲ୍ମ କ୍ୟାରିଅରରେ ସେ ୩୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। “ଶୋଲେ”ରେ ତାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସିତ ହୋଇଥିଲା। ସେ “ଅଭିମାନ”, “ଚୁପକେ ଚୁପକେ”, “ଛୋଟି ସି ବାତ” ଏବଂ “ଭୁଲ ଭୁଲୈୟା” ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ।ଅସରାନି ପ୍ରିୟଦର୍ଶନଙ୍କ “ହୈୱାନ” ରେ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନଙ୍କ ସହିତ ଦେଖାଯିବାକୁ ସ୍ଥିର ହୋଇଥିଲେ। ସେ ଏହି ବର୍ଷ ଅଗଷ୍ଟରେ ବିବିସି ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। ଅସରାନି କହିଥିଲେ ଯେ, “ସେପ୍ଟେମ୍ବରରେ ସୁଟିଂ ଆରମ୍ଭ ହେଉଛି। ଫିଲ୍ମର ନାମ ହୈୱାନ। ପ୍ରିୟଦର୍ଶନ ନିର୍ଦ୍ଦେଶକ ଅଛନ୍ତି।” “ହୈବାନ” ରିଲିଜ୍ ହେବା ପରେ ହିଁ ଜଣାପଡିବ ଯେ, ଅସରାନି ଫିଲ୍ମ ପାଇଁ ତାଙ୍କର ସିଡ୍ୟୁଲ୍ ସୁଟିଂ କରିସାରିଥିଲେ କି ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଅସରାନି ଜଣେ ହାସ୍ୟ ଅଭିନେତା ଥିଲେ। ଏତଦବ୍ୟତୀତ ସେ ଜଣେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଥିଲେ। ସେ ତାଙ୍କ ଜୀବନରେ ଲୋକପ୍ରିୟତା ଏବଂ ସମ୍ପତ୍ତି ଅର୍ଜନ କରିଛନ୍ତି। ଅସରାନିଙ୍କର ମୁମ୍ବାଇରେ ଏକ ଘର ଅଛି। ଏହା ବ୍ୟତୀତ ଅନେକ ଗଣମାଧ୍ୟମ ରିପୋର୍ଟରେ ତାଙ୍କର ମୋଟ ସମ୍ପତ୍ତି ୪୮ କୋଟି ବୋଲି ଆକଳନ କରାଯାଇଛି, ଯାହାକୁ ସେ ତାଙ୍କ ପରିବାର ପାଇଁ ଛାଡି ଦେଇଯାଇଛନ୍ତି।



