ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ,ତା. ୨୩.୧୦:- ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ଏକ ପଦଯାତ୍ରା “Unity March” ଆସନ୍ତା ନଭେମ୍ବର ମାସ ୧୯ ତାରିଖରେ ଆୟୋଜନ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ସକାଳ ୯ ଘଟିକାରେ ଶୈଳଶ୍ରୀକ୍ଷେତ୍ର ଠାରୁ ବାହାରି ବି ଇ ଡି କଲେଜ ଛକ, ଥାନା ଛକ ହୋଇ ଅନୁଗୋଳ ଷ୍ଟାଡିୟମ ଠାରେ ପହଞ୍ଚିବ । ଏହା ପୂର୍ବରୁ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବ । ଏହା ସହିତ ଡିଜିଟାଲ ରିଲ/ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ସ୍ବଛ ଭାରତକୁ ଗୁରୁତ୍ବ ଦିଆଯିବ । ଏହି ପଦଯାତ୍ରାରେ ୧୦୦୦ ରୁ ୧୫୦୦ ଛାତ୍ର ଛାତ୍ରୀ ଏବଂ ସବୁ ବର୍ଗର ଜନସାଧାରଣ ଅଂଶଗ୍ରହଣ କରିବେ । ଏହି ବୈଠକରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧ୍ ଶ୍ରୀ ସୁଦିପ ଗଡନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଊପାସନା ପାଢି, ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ, ଡେପୁଟୀ କଲେକ୍ଟର ଶ୍ବାହା ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବାରିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ ଅର୍ପଣ କରିଥିଲେ ।




