*ଜନତା ହାଇସ୍କୁଲରେ କ୍ୟାରିୟର ଗାଇଡେନସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ*

(ବରଗଡ଼):୨୦/୧୧ (ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ସ୍ଥିତ ଜନତା ହାଇସ୍କୁଲରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ୟାରିୟର ଗାଇଡେନସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅଭିଜିତ ସତୀଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ବୈଠକରେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପଯୁକ୍ତ ମାର୍ଗଦର୍ଶନ ଦ୍ବାରା ଶିକ୍ଷାର୍ଥୀମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି ମତବ୍ୟକ୍ତ କରିଥିଲେ।ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କୁ କ୍ୟାରିୟର ଗାଇଡେନସ ପ୍ରଦାନ କରିବା ପାଇଁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ଦ୍ଵିଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା,ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ,ଜନତା ହାଇସ୍କୁଲ ଗୋଡଭଗାର ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଏବଂ ଅତାବିରା ହାଇସ୍କୁଲର ଶିକ୍ଷକ ଆଶୁତୋଷ ବିଶ୍ୱାଳ ଯୋଗ ଦେଇଥିଲେ।

ପ୍ରଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରେ କ୍ୟାରିୟର ଗାଇଡେନସ ଓ କାଉନସେଲିଂର ଆବଶ୍ୟକତା, ବୃତ୍ତିଗତ ସଚେତନତା,କ୍ୟାରିୟର ପ୍ଲାନିଂ,ବୃତ୍ତିଗତ ମାର୍ଗ ଦର୍ଶନରେ ତଦାରଖ ବ୍ୟବସ୍ଥା ଓ ବିବରଣୀ ଲିଖନ,ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ସହ କ୍ୟାରିୟର ପୋର୍ଟାଲର ବ୍ୟବହାର ଏବଂ କ୍ୟାରିୟର ଯୋଜନା ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା।କ୍ୟାରିୟର ଚୟନ ପାଇଁ ଶିକ୍ଷାର୍ଥୀମାନଙ୍କର ଆତ୍ମ ସଚେତନତା ବୃଦ୍ଧି ସହ ସାମର୍ଥ୍ୟ ଓ ବ୍ୟକ୍ତିତ୍ଵର ବିକାଶ କିପରି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥଲା। ଅତାବିରା ଏବଂ ଭେଡେନ ବ୍ଲକର ସମସ୍ତ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରି ପ୍ରସଙ୍ଗଗୁଡ଼ିକୁ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଶିକ୍ଷୟିତ୍ରୀ ଅନସୂୟା ଦେବତା ଏବଂ ଶିକ୍ଷକ ଅଭିଜିତ ଘୋଷ ପ୍ରଶିକ୍ଷଣର ଅନୁଭୂତି ବର୍ଣ୍ଣନା କରିଥିଲେ।ପ୍ରଶିକ୍ଷକ ସଞ୍ଜୟ ଖମାରୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।




