ଛୁରାମାଡ଼ରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ
ବଅଁରପାଳ,୨୭ା୧୧:ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତରେ ପୂର୍ବତନ ସରପଞ୍ଚ ବିରେନ୍ ଦାସଙ୍କୁ ହତ୍ୟା କରାଯାଇଛି । ବିରେନ୍ଙ୍କୁ ତାଙ୍କ ବଡ଼ ଭାଇର ଜ୍ୱାଇଁ ପ୍ରବୀର ବେହେରା ହତ୍ୟା କରିଛି । ସୁଚନା ମୁତାବକ ବୀରେନଙ୍କ ବଡ଼ ଭାଇ ବାବୁଲା ଦାସଙ୍କ ଝିଅ ମାନିନିର ୬ ବର୍ଷ ତଳେ ଆଠମଲ୍ଲିକ ବନମାଳିପୁରର ପ୍ରବୀର ବେହେରାଙ୍କୁ ବିବାହ କରିଥିଲେ । ବିବାହ ପରେ ଜ୍ୱାଇଁ ଝିଅକୁ ନିର୍ଯ୍ୟାତନା ଦେଉଥିଲା । ବାବୁଲା ଦାସଙ୍କ ମୃତ୍ୟୁ ଘଟିବା ପରେ ବିରେନ୍ ବଡ଼ ଭାଇ ଝିଅର ସମସ୍ତ ଦାୟିତ୍ୱ ନେଉଥିଲେ । କିନ୍ତୁ ପ୍ରବୀର ଅନେକ ସମୟରେ ମଦ୍ୟପାନ କରି ପତ୍ନୀଙ୍କୁ ମାଡ଼ପିଟ କରୁଥିଲେ । ଅନେକ ଥର ଝିଅ ବାପ ଘରକୁ ପଳାଇ ଆସିଛି । ପୁଣି ବୁଝାବୁଝି କରି ବିରେନ ମାନିନିକୁ ଶାଶୂ ଘରେ ଛାଡି ଆସୁଥିଲା । ହେଲେ ସ୍ୱାମୀର ନିର୍ଯ୍ୟାତନା ଅସହ୍ୟ ହେବାରୁ ମାନିନି ଗୁରୁବାର ଗାଁକୁ ଆସିଥିଲା । ତାଙ୍କ ପଛେ ପଛେ ପ୍ରବୀର ଶ୍ୱଶୁର ଘରେ ପହଞ୍ଚିଥିଲା । ଏହି ଘଟଣାକୁ ନେଇ ବୀରେନ ଓ ପ୍ରବୀରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଜ୍ୱାଇଁ ପ୍ରବୀର ଦାଦାଶୁର ବିରେନ ଦାସଙ୍କୁ ଗାଁ ଦାଣ୍ଡରେ ଛୁରି ଭୁଷି ଦେଇଥିଲା । ଫଳରେ ବିରେନ୍ଙ୍କ ଶରୀରରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ପରିବାର ଲୋକେ ଅନୁଗୋଳ ଡାକ୍ତରଖାନା ନେବା ବାଟରେ ବିରେନ୍ଙ୍କ ମୃତୁ୍ୟ ଘଟିଥିଲା । ଆକ୍ରମଣ କରିବା ପରେ ଜ୍ୱାଇଁ ପ୍ରବୀରକୁ ଗ୍ରାମବାସୀ କାବୁ କରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ମହୀଧରପୁର ଫାଣ୍ଡି ଅଧିକାରୀ ମାନସ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରବୀରକୁ ଥାନାକୁ ନେଇଛି । ଏ ନେଇ ବଅଁରପାଳ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ପ୍ରବୀରକୁ ପଚରାଉ ଉଚରା କରାଯାଉଛି ।



