ଓଷ୍ଟାର ଜିଲ୍ଲା ସ୍ତରୀୟ ସମ୍ମିଳନୀ
ଢେଙ୍କାନାଳ, ୪/୧୨: ଢେଙ୍କାନାଳ ଜିଲ୍ଲା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା)ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓଷ୍ଟା ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଂଘର ସଭାପତି ରାମ ରାଉତ ସଭାପତିତ୍ୱ କରିଥିଲେ । ରାଜ୍ୟ ସଂଘର ସାଧାରଣ ସଂପାଦକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥ୍ ଭାବେ ଯୋଗଦାନ କରିବା ସହିତ ରାଜ୍ୟ ସଂଘର ଶୈକ୍ଷିକ ସଂପାଦକ ପ୍ରଣବ କୁମାର ଜେନା, ଆନ୍ଦୋଳନ ସଂପାଦକ ରମାକାନ୍ତ ମହାପାତ୍ର ଓ ରାଜ୍ୟ ଉପସଭାପତି ପ୍ରମୋଦ କୁମାର ସାଇଁ ଯୋଗ ଦେଇଥିଲେ । କଙ୍କଡାହାଡ ବ୍ଲକ୍ର ସଂପାଦକ ଦିଲ୍ଲୀପ କୁମାର ମାଝି ସାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସଂପାଦକ ଶଶୀକାନ୍ତ ଦାଶ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ କର୍ମଚାରୀମାନଙ୍କର ପେନ୍ସନ୍ ଏବଂ ଅନୁଦାନ ଦେବାରେ ସରକାର କାଳକ୍ଷେପଣ ଓ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସଂପର୍କରେ ସୂଚନା ଦେଇଥିଲେ । ଆଗାମୀ ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଶିଶୁମେଳା ସୂଚାରୁ ରୂପେ ସଂପାଦନ କରିବା ପାଇଁ କର୍ମକର୍ତାଙ୍କୁ ଅନୁରୋଧ କରିଥିଲେ । ପୂର୍ବତନ ସଭାପତି ସନ୍ତୋଷ ପାଣିଗ୍ରାହୀ ଓ ପୂର୍ବ ସଂପାଦକ ବିଭୁତି ସାମଲ ରାଜ୍ୟ ସ୍ତରୀୟ ହେବାକୁ ଥିବା ଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଆହ୍ୱାନ କରିଥିଲେ । ଦାବି ପୂରଣ ପାଇଁ ଆଗାମୀ ୧୦, ୧୧ ଓ ୧୨ ତାରିଖ ତିନିଦିନ ଧରି ରାଜ୍ୟ ରାଜଧାନୀରେ ଅହୋରାତ୍ର ଧାରଣା ଦେବା ପାଇଁ ସମସ୍ତେ ସାମିଲ୍ ପାଇଁ କୁହାଯାଇଥିଲା। ନିଜ ନିଜର ବକ୍ତବ୍ୟରେ ରାଜ୍ୟ ନେତୃମଣ୍ଡଳୀ ଶିକ୍ଷକ ଏବଂ କର୍ମଚାରୀମାନେ ଧୈର୍ଯ୍ୟର ସହିତ ଐକ୍ୟ ଭାବରେ ଆନ୍ଦୋଳନ କଲେ ଦାବି ସରକାର ପୂରଣ କରିବାକୁ ବାଧ୍ଯ ହେବ । ଆଗାମୀ ୧୫ ଦିନ ମଧ୍ୟରେ ଦାବି ହାସଲ ନ ହେଲେ ଦୁର୍ବାର ଆନ୍ଦୋଳନ କରାଯାଇ ସମସ୍ତ ସ୍କୁଲ୍ ତାଲା ବନ୍ଦ କରିବା ସଙ୍ଗେ ସଙ୍ଗେ ରାଜରାସ୍ତାରେ ପ୍ରବଳ ମାତ୍ରାରେ ପ୍ରତିବାଦ କରି ସରକାରଙ୍କୁ ଅଚଳ କରାଯିବାର ପ୍ରସ୍ତାବ ବକ୍ତାମାନେ ଦେଇଥିଲେ ।ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଆଗାମୀ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ୟ କରାଗଲା । ସେହି ତାରିଖ ପୂର୍ବରୁ ବ୍ଲକ୍ ସ୍ତରୀୟ ଶିଶୁମେଳା ଗୁଡିକ ସମାପ୍ତ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରାଗଲା । ସଂଘର ସ୍ଥିତି ସୁଦୃଢ ପାଇଁ ସଭ୍ୟଚାନ୍ଦା ଶୀଘ୍ର ସଂଗ୍ରହ କରିବା ପାଇଁ ବ୍ଲକ୍ ସ୍ତରରେ ଦାୟିତ୍ବ ପ୍ରଦାନ କରାଗଲା । ଅଶ୍ବିନୀ ପଣ୍ଡା, ଅଞ୍ଜନ ମହାରଣା, ବିନୋଦ କୁମାର ସାହୁ, ଶୁଭସ୍ମିତା ବେଉରା, ଜ୍ୟୋତିର୍ମୟ ପଟ୍ଟନାୟକ, ଉପଦେଷ୍ଟା ସରୋଜକାନ୍ତ ଦାସ ଏବଂ ପ୍ରଶାନ୍ତ କୁମାର ଧଳ ବ୍ଲକ୍ ସଂପାଦକ ତଥା ସଭାପତି ଯୋଗଦାନ କରିଥିଲେ । ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ଦେଇଥିଲେ । ଜିଲ୍ଲା ସଂଘର ଉପସଭାପତି ସୁବାସ ଚନ୍ଦ୍ର ସାହୁ ସମସ୍ତ ଆୟୋଜନ କରିଥିଲେ ।



