ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ବିତର୍କ କରିବେ । ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମଙ୍ଗଳବାର ରାଜ୍ୟସଭାରେ ଆଲୋଚନା କରିବେ । ଆସନ୍ତାକାଲି ଲୋକସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଓ ବିତର୍କ କରିବା ପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ପରେ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବେ । ବିରୋଧୀଦଳ ପକ୍ଷରୁ ଆଲୋଚନାରେ ଭାଗ ନେବା ପାଇଁ ଉପନେତା ଗୌରବ ଗୋଗୋଇ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚୟନ କରାଇଯାଇଛି । ନଭେମ୍ବର ୭ ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦେ ମାତରମ୍ ର 150ତମ ବର୍ଷ ପାଳନ କରିବା ପାଇଁ ବର୍ଷବ୍ୟାପୀ ଉତ୍ସବ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ଏବଂ ଛାତ୍ରମାନଙ୍କୁ ଗୀତର ଗୁରୁତ୍ୱ ବିଷୟରେ ଅଧିକ ସଚେତନ କରିବା ।ଚଳିତ ସଂସଦ ଅଧିବେଶନରେ ସରକାର ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ସଂସ୍କୃତ ଭାଷାରେ ରଚିତ “ବନ୍ଦେ ମାତରମ୍” ଉପରେ ଏକ ବିତର୍କ କରିବାକୁ ଆଗ୍ରହୀ ଥିଲେ, ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରେରଣାର ଉତ୍ସ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ ଅଭିଯୋଗ ଆଣି କହିଥିଲେ ଯେ, କଂଗ୍ରେସ ୧୯୩୭ ମସିହାରେ ଗୀତରୁ ମୁଖ୍ୟ ପଦଗୁଡ଼ିକୁ ହଟାଇ ବିଭାଜନର ମଞ୍ଜି ବୁଣିଥିଲା । ଡିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନର ପ୍ରଥମ ଦୁଇ ଦିନର କାର୍ଯ୍ୟଧାରା ଏସାଇଆର ଉପରେ ବିରୋଧୀଙ୍କ ବିରୋଧ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା ।



