ଆଇନରେ ପରିଣତ ହେଲା ବିକଶିତ ଭାରତ – ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ) – ଭିବି – ଜି ରାମ୍ ଜି ବିଲ୍ – ୨୦୨୫ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି ରାମଜୀ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସମ୍ମତିରେ, ଜି ରାମଜୀ ବିଲ୍ ଏବେ ଆଇନରେ ପରିଣତ ହୋଇଛି। ମନରେଗାର ନାମ ପରିବର୍ତ୍ତନ କରି ଭିବି – ଜି ରାମ୍ ଜି ରଖାଯାଇଛି।
ମନରେଗା ବଦଳରେ ଏଣିକି ଲାଗୁ ହେବ ଭିବି-ଜି ରାମ୍ ଜି ଆଇନ। ଭିବି – ଜି ରାମ୍ ଜି ଯୋଜନାରେ, ଶ୍ରମିକମାନଙ୍କୁ ଏବେ ୧୨୫ ଦିନର କାମର ଗ୍ୟାରେଣ୍ଟି ଦିଆଯିବ, ଯେତେବେଳେ ମନରେଗା କେବଳ ୧୦୦ ଦିନର କାମର ପ୍ରତିଶ୍ରୁତି ଦେଇଥିଲା। ପ୍ରତି ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାରର ଅଣକୁଶଳୀ ବ୍ୟକ୍ତିଙ୍କୁ ମିଳିବ ସୁବିଧା ।ସରକାର ଆସନ୍ତା ବର୍ଷ ୧ ଏପ୍ରିଲ (୨୦୨୬) ଠାରୁ ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡିଛି । ଏହି ପ୍ରସ୍ତାବିତ ଆଇନ ୨୦ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବଦଳାଇବ। ଏହି ବିଲ୍ ଅନୁଯାୟୀ, ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟି ବର୍ତ୍ତମାନ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି ।କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ବିଲ୍ ମନରେଗାକୁ ବଦଳାଇଥାଏ ଏବଂ ଏକ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଆୟ ସୁରକ୍ଷାକୁ ସୁଦୃଢ଼ କରିବା । ଆଇନର ବ୍ୟବସ୍ଥା ଅନୁଯାୟୀ, ଇଚ୍ଛୁକ ଗ୍ରାମୀଣ ପରିବାରଗୁଡ଼ିକୁ ସର୍ବନିମ୍ନ ୧୨୫ ଦିନର ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ସାମ୍ବିଧାନିକ ଭାବରେ ଦାୟୀ ରହିବେ। ମଜୁରୀ ପ୍ରଦାନ ସପ୍ତାହିକ କିମ୍ବା ସର୍ବାଧିକ ୧୫ ଦିନ ମଧ୍ୟରେ ବାଧ୍ୟତାମୂଳକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେୟ ପ୍ରଦାନ ନ ହେଲେ ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଅଛି।



