ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଊଦଘାଟିତ

ଅନୁଗୋଳ,ତା. ୩୦.୧୨:- ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି ।

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଊଦଘାଟନ କରିଛନ୍ତି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀମାନେ କିପରି ଲାଭାନ୍ବିତ ହୋଇପାରିବେ ସେ ସମ୍ପର୍କରେ ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡଃ.ଦେବାଶିଷ ମିଶ୍ର, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଡ. ପ୍ରତାପ କୁମାର ପଟ୍ଟନାୟକ, ଊପ ନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଡ.କେଶବ ଚନ୍ଦ୍ର ପ୍ରଧାନ, ପାଳଲହଡା ଊପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଜିତେନ୍ଦ୍ର କୁମାର ମହାନ୍ତ, ଆଠମଲ୍ଲିକ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଅମରେଶ ପାଣି ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରାକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଊପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ ।

ଏହି ମେଳାରେ ୧୫ ବିଭାଗ ତରଫରୁ ବିଭିନ୍ନ ଯୋଜନା ସମ୍ବନ୍ଧିତ ଅନୁଗୋଳ ଗୋଶାଳା, ଓମ୍ଫେଡ୍, କୃଷି ବିଜ୍ଞାନ କେନ୍ଦ୍ର(ଅନୁଗୋଳ), ଗୋପାଳନ ସମ୍ବନ୍ଧୀୟ ଯନ୍ତ୍ରପାତି, ଊଦ୍ୟାନ କୃଷି ବିଭାଗ, ଆର.ଏନ୍. ଇନ୍କ୍ୟୁବେଟର, ଜିଲ୍ଲା ବାଣିଜ୍ୟ କେନ୍ଦ୍ର ତଥା ବ୍ୟାଙ୍କ ଅଫ୍ ବରୋଦା ଭଳି ୨୫ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ୪ ଅଗ୍ରଣୀ ଚାଷୀଙ୍କୁ ପୁରସ୍କୃତ କରିବା ସହ ୨୦ ଜଣ ଚାଷୀଙ୍କୁ ପ୍ରାଣୀ ପାଳନ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି,ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ କୃଷକ ବନ୍ଧୁମାନେ ଯୋଗ ଦେଇଥିଲେ ।




