କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ। ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ ।ଆଲୋଚନା ଦ୍ବାରା ସବୁ ସମାଧାନ ହେବ, ଆମ ସହ ଆଲୋଚନା କରନ୍ତୁ’ । ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନ ହେବ ଧ୍ୟାନ ଦିଅନ୍ତୁ’ ।
ସୂଚନା ଯୋଗ୍ୟ ଯେ,ରାଜ୍ୟରେ ସୋମବାରଠାରୁ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ହେବ। ଏଭଳି ଚରମ ନିଷ୍ପତ୍ତି ନେଇଛି ଓମ୍ସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ)। ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି। ଦୈନିକ ପୂର୍ବାହ୍ଣ ୯ଟାରୁ ୧୧ଟା ଓପିଡି ବନ୍ଦ ହେବା ଯୋଗୁଁ ସ୍ଥିତି ବିଗିଡ଼ିବ। ରୋଗୀ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ।ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ପୂର୍ବାହ୍ନ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି। ହେଲେ ସରକାର ଦାବି ପୂରଣ ସମ୍ପର୍କରେ ସେଭଳି କୌଣସି ନିଷ୍ପତ୍ତି ଗ୍ରହଣ କଲେ ନାହିଁ। ବାଧ୍ୟ ହୋଇ ଓମ୍ସା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଡାକ୍ତରମାନେ ଓପିଡ଼ି ବନ୍ଦ ସମୟକୁ ୧ଘଣ୍ଟାରୁ ୨ଘଣ୍ଟାକୁ ବଢ଼ାଇବାକୁ ସ୍ଥିର କରିଛନ୍ତି। ଆଜିଠାରୁ ଦୈନିକ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବେ।



