ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଜାରି ନୂଆ ଆଣ୍ଟି ଡିସ୍କ୍ରିମିନେସନ ନିୟମକୁ ନେଇ ଦେଶରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି । ବିଭିନ୍ନ କଲେଜର ଛାତ୍ର ଓ ସଂଗଠନ ଦ୍ୱାରା କରାଯାଉଥିବା ବିରୋଧ ପ୍ରଦର୍ଶନ ଓ ରିଭର୍ସ ଡିସ୍କ୍ରିମିନେସନ (ଓଲଟା ଭେଦଭାବ) ଅଭିଯୋଗ ବିରୋଧରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ସେ ଆଶ୍ୱାସନା ଦେଇଛନ୍ତି ଯେ ନୂଆ ନିୟମର ଉଦ୍ଦେଶ୍ୟ ନ୍ୟାୟ ସୁନିଶ୍ଚିତ କରିବା, କାହା ସହ ଉତ୍ପୀଡନ ହେବ ନାହିଁ ।
ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ ଲୋକଙ୍କ ପ୍ରଶ୍ନର ବିନମ୍ରତା ସହ ଜବାବ ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ଅତ୍ୟନ୍ତ ବିନମ୍ରତା ସହ ଭରସା ଦେବାକୁ ଚାହୁଁଛି ଯେ କାହାର ଉତ୍ପୀଡ଼ନ ହେବାକୁ ଦିଆଯିବ ନାହିଁ । ଡିସ୍କ୍ରିମିନେସନ (ଭେଦଭାବ) ନାଁରେ କାହାକୁ ବି ଆଇନର ଦୁରୁପଯୋଗ କରିବାର ଅଧିକାର ରହିବ ନାହିଁ ।’
କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଛନ୍ତି, ‘ୟୁଜିସି ହେଉ, ଭାରତ ସରକାର ହୁଅନ୍ତୁ କିମ୍ୱା ରାଜ୍ୟ ସରକାର, ଆଇନର ନିରପେକ୍ଷ ପାଳନ ସମସ୍ତଙ୍କ ସାମୁହିକ ଦାୟିତ୍ୱ ।’ ସେ ସ୍ପଷ୍ଟ କହିଛନ୍ତି ଯେ ଯାହା ମଧ୍ୟ ବ୍ୟବସ୍ଥା କରାଯାଇଛି, ତାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ସମ୍ୱିଧାନର ପରିଧି ଭିତରେ ରହିଛି । ନିର୍ଦ୍ଦୋଷ ଛାତ୍ରମାନଙ୍କ ସମ୍ପୃକ୍ତିର ସମ୍ଭାବନା ବିଷୟରେ ଆଲୋଚନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୂରା ପ୍ରକ୍ରିୟା ନ୍ୟାୟପାଳିକାର କ୍ଷେତ୍ରାଧିକାର ମଧ୍ୟରେ । ସେ କହିଛନ୍ତି, “ଏହି ମାମଲା ସୁପ୍ରିମକୋର୍ଟଙ୍କ ତଦାରଖରେ ଏକ ବ୍ୟବସ୍ଥା । ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ କାହାରି ଉପରେ ଅତ୍ୟାଚାର କିମ୍ବା ଭେଦଭାବ କରାଯିବ ନାହିଁ ।”



