ଯାଜପୁର: ମଙ୍ଗଳବାର ଯାଜପୁରରେ ୪୮ ସ୍କୁଲ୍ ଛୁଟି । ଯାଜପୁର ପୌରାଞ୍ଚଳର ୪୮ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
ସୂଚନା ଥାଉକି, ଆସନ୍ତାକାଲି ରାଷ୍ଟ୍ରପତି ଯାଜପୁର ଆସୁଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଯାଜପୁର ସହର।
ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ, ମନ୍ଦିର ପ୍ରଶାସନ ଦିନରାତି ଏକ୍ କରି ଦେଇଛନ୍ତି । ସହରର ବିଭିନ୍ନ ସ୍ଥାନକୁ ସଫାସୁତୁରା କରାଯାଇଛି । ଅସମ୍ପୂର୍ଣ୍ଣ ଥିବା କାମକୁ ସମ୍ପୂର୍ଣ୍ଣ କରାଯାଉଛି । ଏନ୍ସି କଲେଜ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ ପରିଷ୍କାର କରାଯାଇଛି । ମେଡିକାଲ ଛକରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ ସମ୍ପୂର୍ଣ୍ଣ ପିଚୁ କରାଯିବା ସହ ଧଳା ରଙ୍ଗରେ ସେଡିଂ କରାଯାଇଛି । ରାଷ୍ଟ୍ରପତି ଆକାଶ ମାର୍ଗରୁ କୁସୁମା ସମ୍ମୁଖ ପ୍ରଶାସନିକ ଭବନ ପଡ଼ିଆରେ ଅବତରଣ କରିବେ । ଏଣୁ ଏହି ପଡ଼ିଆକୁ ସମ୍ପୂର୍ଣ୍ଣ ଭାବେ ପିଚୁ କରାଯାଇ ଏହାର ଚତୁଃପାର୍ଶ୍ୱରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ପଡ଼ିଆର ତିନୋଟି ସ୍ଥାନରେ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି ।
ରାଷ୍ଟ୍ରପତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ । ପୂଜା ପରେ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ବିରଜା ମନ୍ଦିରକୁ ଭଲ ଭାବରେ ସଫା କରାଯାଇ ମନ୍ଦିରକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରାଯାଉଛି । ମନ୍ଦିରର ବାହାର ଭିତରକୁ ସମ୍ପୂର୍ଣ୍ଣ ଭାବେ ପାଣିରେ ଧୁଆ ଯାଇ ସଫାସୁତରା କରାଯାଉଛି । ଏପରିକି ମନ୍ଦିରରେ ନିର୍ମିତ ପଥରର ପାଚେରିକୁ ମଧ୍ୟ ବାନିସ ପକାଯାଇ ଚକାଚକ କରାଯାଉଛି । ମନ୍ଦିର ଚତୁଃପାଶ୍ୱର୍କୁ ଆଲୋକୀକରଣ କରାଯାଇଛି । ମନ୍ଦିର ପରିସରରେ ଥିବା ସମସ୍ତ ଦେବାଦେବୀଙ୍କ ମନ୍ଦିରକୁ ମଧ୍ୟ ବିଭିନ୍ନ ରଙ୍ଗରେ ରଙ୍ଗାଯାଇ ନୂଆ ରୂପ ଦିଆଯାଉଛି । ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ବ୍ରହ୍ମକୁଣ୍ଡ ମଧ୍ୟ ଇତି ମଧ୍ୟରେ ନୂଆ ରୂପ ପାଇ ସାରିଛି । ବ୍ରହ୍ମକୁଣ୍ଡର ଚତୁଃପାଶ୍ୱର୍କୁ ସଫାସୁତରା କରାଯିବା ସହିତ ଧଳା ରଙ୍ଗ ଦିଆ ସରିଲାଣି । ମା’ଙ୍କୁ ଏକ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ମନ୍ଦିରରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନାର୍ଥୀ ଭକ୍ତଙ୍କ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ବଛା ବଛା ହାତଗଣତି ୮ରୁ ୧୦ ଜଣ ସେବାୟତ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ପୂଜାକାର୍ଯ୍ୟ ଓ ନାଭିଗୟାରେ ପିଣ୍ଡଦାନକୁ ସମ୍ପାଦନ କରିବେ ବୋଲି ସେବାୟତଙ୍କ ତାଲିକା ନିର୍ଦ୍ଧାରଣ ହୋଇସାରିଲାଣି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଆସି ସୋମବାର ସନ୍ଧ୍ୟା ୬ଟା ୪୦ ମିନିଟ୍ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନବନ୍ଦରରେ ପହଞ୍ଚିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ରାଜଧାନୀର ବିମାନବନ୍ଦର ଓ ଲୋକଭବନ ହାଇଆଲର୍ଟରେ ରହିବ । ଲୋକଭବନକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରିଛି ପୁଲିସ । ଡିସିପି ଜଗମୋହନ ମୀନା କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରାୟ ୩୨ ପ୍ଲାଟୁନ ଫୋର୍ସ ସହରକୁ ଜଗିବେ । କାରକେଡ ଯିବା ବେଳେ ରୁଟ୍ ଲାଇନିଂ ପାଇଁ ୧୦ ପ୍ଲୁଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୪ଜଣ ଡିସିପି, ୫ ଅତିରିକ୍ତ ଡିସିପି, ୨୩ ଏସିପି, ୩୩ ଇନ୍ସପେକ୍ଟର, ୧୨୧ ସବ୍ଇନ୍ସପେକ୍ଟର/ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ସେଶ୍ଲାଲ ଟାକ୍ଟିକାଲ ୟୁନିଟ୍ (ଏସ୍ଟିୟୁ) ସହ ୫୨ଜଣ ମହିଳା କନଷ୍ଟେବଳ ମଧ୍ୟ ସୁରକ୍ଷାରେ ନିୟୋଜିତ ହେବେ । ରବିବାର ସନ୍ଧ୍ୟା ୭ଟାରେ ବିମାନବନ୍ଦରରୁ ଲୋକଭବନ ଓ ଜାଭିଅର ଛକ ଯାଏ କାରକେଡ୍ ରିହର୍ସାଲ କରାଯାଇଥିଲା ।



