ତାଳଚେର ରାଣୀପାର୍କ ଜଙ୍ଗଲର ଡ଼ିଅରପାର୍କ କାର୍ଯ୍ୟ କେବେ?
ତାଳଚେର, ୦୬/୦୨ ପ୍ରଚୁର ରାଜସ୍ୱ ପ୍ରଦାନ କରୁଥିବା ତାଳଚେର ଆଜି ଶ୍ରୀ ହୀନ ହେବାସହ ମାଳମାଳ କୋଇଲା ଖଣି ସହିତ ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ତାଳଚେରରୁ ଅର୍ଥ ଯାଇ ବାହାର ଜାଗାରେ ଚିଡ଼ିଆଖାନା, ପାର୍କ, ସୌନ୍ଦର୍ଯ୍ୟକରଣ, ବଡ଼ବଡ଼ ତୋରଣ ଏମିତି କି, ବହୁତ କିଛି ନିର୍ମାଣ ହେଉଥିବା ବେଳେ ତାଳଚେରକୁ କାହିଁକି ଅଣଦେଖା କରାଯାଉଛି ତାକୁ ନେଇ ରାଜନୈତିକ ମହଲରେ କାଦୁଅ ଫିଙ୍ଗା ସହ ନେତାଙ୍କର ପାରିବାପଣିଆ ଜଳଜଳ ହୋଇ ଦେଖାଯାଉଛି । ତାଳଚେର ସହର ମଧ୍ୟରେ ୭୧୪ଏକର ପରିମିତ ରାଣୀପାର୍କ ଜଙ୍ଗଲଟିକୁ ପୁନରୁଉଦ୍ଧାର କରାଯାଇ ସେଥି ମଧ୍ୟରେ ଡ଼ିଅରପାର୍କ ନିର୍ମାଣ କରିବାନେଇ ବିଭିନ୍ନ ସଂଗଠନ ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲେ ମଧ୍ୟ ଏହି ହରିଣ ପାର୍କ ଓ ମିନି ନନ୍ଦନକାନନ ଏବେ ନାଲିଫିତା ତଳେ ବନ୍ଧା ହୋଇଥିବା ଦୁର୍ଭାଗ୍ୟର ବିଷୟ ହୋଇଛି । ପୂର୍ବରୁ ଏହି ଜଙ୍ଗଲଟିର ରୂପରେଖ ଭୂଷୁଡ଼ି ଯାଇଥିଲେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶହଶହ ବୃକ୍ଷରୋପଣ କରାଯାଇ ବୃକ୍ଷ ଗୁଡ଼ିକ ଏବେ ଆଖି ଦୃଶିଆ ହୋଇଥିବା ବେଳେ ଚର୍ତୁପାଶ୍ୱର୍ରେ ଡ଼ିଏମପଣ୍ଡରୁ କୋଟି କୋଟିଟଙ୍କା ଖର୍ଚ୍ଚର୍କରାଯାଇ ପାଚୋରୀ ଓ ଦୁଇ ପାଶ୍ୱର୍ରେ ଗେଟରେ ତାଲା ଝୁଲିବା ସାର ହୋଇଛି । ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଣୀପାର୍କ ମଧ୍ୟରେ ମିନି ନନ୍ଦନକାନନ କରିବାନେଇ ସ୍ୱପ୍ନ ଦେଖିଥିଲେ ଏବଂ ଏହାକୁ ସାକାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ପାଲହଡ଼ା ପ୍ରାକ୍ତନ ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ ଏହି ରାଣୀପାର୍କରେ ହରିଣପାର୍କ କରିବା ସଂକ୍ରାନ୍ତରେ ବିଭିନ୍ନ ଫର୍ମରେ ବିଧାନସଭାରେ ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ଏଠିକାର ଡ଼ିଏଫଓ ବିଭିନ୍ନ ଆଳ ଦେଖାଇ ଟାଳଟୁଳି ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି । ଡ଼ିଅରପାର୍କ ସ୍ୱପ୍ନ ତାଳଚେର ସହରବାସୀଙ୍କ ମନରୁ ଏବେ ଲିଭିବାକୁ ବସିଲାଣି । ତାଳଚେରରେ ପ୍ରସ୍ତାବିତ ଡ଼ିଅରପାର୍କ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ଡ଼ବଲ ଇଞ୍ଜନ ସରକାର ତାଳଚେର ପାଇଁ କାହିଁକି ବିମୁଖ ତାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି ।



