ଭୁବନେଶ୍ୱର, 11 ଫେବ୍ରୁଆରି (ଜାଗ୍ରତ ଭାରତ)ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୨୦୨୪-୨୫ ଆର୍ଥିକ ବର୍ଷର ମହିଳା ଅପରାଧ ସମ୍ବନ୍ଧୀୟ ବାର୍ଷିକ ରିପୋର୍ଟ ସାର୍ବଜନୀନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ।
ଅତିଥି ଭାବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିବା ବେଳେ କମିଶନର ଅଧ୍ୟକ୍ଷା ଶୋଭନା ମିଶ୍ର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ।
ରିପୋର୍ଟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୨୦୬୪ଟି ମହିଳା ସମ୍ବନ୍ଧୀୟ ଅପରାଧିକ ମାମଲା ରୁଜୁ ହୋଇଥିଲା। ସେଥିରୁ ୧୮୭୯ଟି ମାମଲା ସମାଧାନ କରିବାରେ କମିଶନ ସଫଳ ହୋଇଛି।
ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧମାନଙ୍କ ମଧ୍ୟରେ ଘରୋଇ ହିଂସା ସର୍ବାଧିକ ରହିଛି। ଏହି ବର୍ଷରେ ୮୫୨ଟି ଘରୋଇ ହିଂସା ମାମଲା କମିଶନଙ୍କ ନିକଟରେ ରୁଜୁ ହୋଇଛି। ଯୌତୁକ ଜନିତ ନିର୍ଯ୍ୟାତନା ଓ ପରିତ୍ୟାଗ ସମ୍ବନ୍ଧୀୟ ୬୭୫ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୫୮୧ଟିର ସମାଧାନ ହୋଇଛି।
ଏହାଛଡ଼ା ମହିଳା ଅଧିକାର ଉଲଂଘନର ୧୮୨ଟି ଏବଂ ଅଶୋଭନୀୟ ଆଚରଣର ୧୩୭ଟି ମାମଲା ରୁଜୁ ହୋଇଛି। ଯୌତୁକ ଜନିତ ହତ୍ୟା ୧୨, ସନ୍ଦେହଜନକ ମୃତ୍ୟୁ ୧୪, ଦୁଷ୍କର୍ମ ୨୪, ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହ ନାମରେ ପ୍ରତାରଣା ୩୦, ଅପହରଣ ୨୮, ଜମି ବିବାଦ ଜନିତ ମହିଳା ହିଂସା ୪୮, କର୍ମକ୍ଷେତ୍ରରେ ନିର୍ଯାତନା ୨୫, ମହିଳାଙ୍କୁ ଖରାପ ବ୍ୟବହାର ୫ ଏବଂ ଅନ୍ୟାନ୍ୟ ହିଂସା ସମ୍ବନ୍ଧୀୟ ୩୩ଟି ମାମଲା ରୁଜୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସାଇବର ଅପରାଧ ସମ୍ବନ୍ଧୀୟ କୌଣସି ମାମଲା ଏହି ବର୍ଷରେ ରୁଜୁ ହୋଇନାହିଁ।
ଜିଲ୍ଲା ଭିତ୍ତିକ ତଥ୍ୟ ଅନୁସାରେ, ମହିଳା ହିଂସା ମାମଲାରେ ଭୁବନେଶ୍ୱର ସବୁଠାରୁ ଆଗରେ ରହିଛି। ଏଠାରେ ୨୯୮ଟି ମାମଲା ରୁଜୁ ହୋଇଛି। ପରବର୍ତ୍ତୀ ସ୍ଥାନରେ କଟକ (୨୧୪), ଖୋର୍ଦ୍ଧା (୨୧୦), ପୁରୀ (୧୮୧), ଗଞ୍ଜାମ (୧୨୦), ଭଦ୍ରକ (୧୧୩) ଏବଂ ଯାଜପୁର (୧୦୩) ରହିଛନ୍ତି।



