ବାଂଲାଦେଶକୁ ସାହା ହୋଇଛି ଭାରତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସଙ୍କଟରେ ପଡ଼ିଥିବା ବାଂଲାଦେଶକୁ ସହାୟତାର ହାତ ବଢ଼ାଇଛନ୍ତି ଭାରତ ସରକାର। ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଶ୍ୱ ଶକ୍ତି ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ବାଂଲାଦେଶ ସ୍ଥିତି ବେହାଲ ହୋଇଛି। ଏପରି ସ୍ଥିତିରେ ବାଂଲାଦେଶକୁ ସହଯୋଗ କରିବାକୁ ଆଗେଇ ଆସିଛି ଭାରତ।
ଯୁଦ୍ଧ ପରିସ୍ଥିତିରେ ଭାରତ ସବୁ କିଛି ବାଂଲାଦେଶର ତୈଳ ସଙ୍କଟ ଦୂର କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶର ସଙ୍କଟ ଦୂର କରିବାକୁ ଭାରତ ସରକାର ଆସାମର ନୁମାଲିଗଡ଼ ରିଫାଇନାରୀରୁ ପାଇପ ଲାଇନ ଯୋଗେ ଢାକାକୁ ଡିଜେଲ ପଠାଇବା ଆରମ୍ଭ କରିଛନ୍ତି।
ସୋମବାର ଠାରୁ ଡିଜେଲ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ରାତି ସୁଦ୍ଧା ପାଇପଲାଇନ ଯୋଗେ ଭାରତ ସରକାର ୫ ହଜାର ଟନ ଡିଜେଲ ବାଂଲାଦେଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ବାଂଲାଦେଶ ପେଟ୍ରୋଲିୟମ କର୍ପୋରେସନ ଅଧ୍ୟକ୍ଷ ମହମ୍ମଦ ରେଜନୌର ରହମାନ ସୂଚନା ଦେଇଛନ୍ତି।
ବିଶ୍ୱ ତୈଳ ଯୋଗାଣରେ ବାଧ୍ୟ ସୃଷ୍ଟି ହେବାରୁ ବାଂଲାଦେଶରେ ତୈଳ ସଙ୍କଟ ଦେଖାଯାଇଛି। ବାଂଲାଦେଶବାସୀ ତେଲ ବିନା ହାହାକାର ସ୍ଥିତିର ସମ୍ମୁଖୀନ ହେଉଥିବାରୁ ଭାରତ ସରକେର ଡିଜେଲ ପଠାଉଛନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା ବାର୍ଷିକ ବୁଝାମଣା ଅଧୀନରେ ଭାରତ ସରକାର ସୋମବାର ଠାରୁ ଡିଜେଲ ପଠାଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆସାମରେ ଥିବା ନୁମାଲିଗଡ଼ର ରିଫାଇନାରୀରୁ ବାଂଲାଦେଶ-ଭାରତ ବନ୍ଧୁତ୍ୱ ପାଇପଲାଇନ ଦ୍ୱାରା ଡିଜେଲ ବାଂଲାଦେଶର ଦିନାଜପୁରର ପାର୍ବତୀପୁର ଡିପୋରେ ପହଞ୍ଚିବ। ବାଂଲାଦେଶ -ଭାରତ ବନ୍ଧୁତ୍ୱ ପାଇପଲାଇନକୁ ୨୦୨୩ ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା ଉଦଘାଟନ କରିଥିଲେ।
ବାଂଲାଦେଶ ଅଧିକାରୀମାନେ କହିଛନ୍ତି ଯେ ତେଲ ଅଭାବରୁ ଏବେ ଦେଶର ଶକ୍ତି ଉତ୍ପାଦନ ଓ ପରିବହନ ବ୍ୟବସ୍ଥା ଉପରେ ସାଂଘାତିକ ଚାପ ରହିଛି। ଭାରତ ପଠାଉଥିବା ତେଲ ଏହି ଚାପକୁ ତତ୍କାଳ ହ୍ରାସ କରିବ। ୨୦୨୪ ଅଗଷ୍ଟ ମାସରେ ଶେଖ ହସିନାଙ୍କ ସରକାର ବିତାଡ଼ିତ ହେବା ପରେ ବାଂଲାଦେଶ ସହ ଭାରତର ସମ୍ପର୍କ ବିଗିଡ଼ି ଥିଲା। ହସିନାଙ୍କ ପରେ ଆସିଥିବା ଅନ୍ତରୀଣ ମହମ୍ମଦ ୟୁନୁସ ସରକାର ଭାରତ ସହ ହୋଇଥିବା ବିଭିନ୍ନ ପାୱାର ଓ ଏନର୍ଜୀ ଚୁକ୍ତିକୁ ବାତିଲ କରିଥିଲେ।
ଆଦାନୀ ଗ୍ରୁପର ଝାରଖଣ୍ଡ ବିଜୁଳି ପ୍ଲାଣ୍ଟରୁ ଆମଦାନୀ ହେଉଥିବା ବିଦ୍ୟୁତ ମଧ୍ୟ ହ୍ରାସ ହୋଇଥିଲା। କୋଇଲା ସପ୍ଲାଇ ବାଧାପ୍ରାପ୍ତ ହୋଇଥିବା ବେଳେ କିଛି ସୀମା ପାର ଗ୍ୟାସ ଏବଂ ଏଲଏନଜି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ଏସବୁ ଚିନ୍ତା ଜନକ ସ୍ଥିତିରେ ମଧ୍ୟ ଭାରତ ଏବେ ବାଂଲାଦେଶକୁ ୫ ହଜାର ଟନ୍ ଡିଜେଲ ପଠାଇବା ଆରମ୍ଭ କରିଛି। ଏହା ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବାରେ ସହାୟକ ହୋଇପାରେ।
ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ହଜାର ଟନ ଡିଜେଲ ପଠାଉଛି। ବାସ୍ତବରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ ବାର୍ଷିକ ୧୮୦,୦୦୦ ଟନ ଡିଜେଲ ପଠାଇବ। ଆସନ୍ତା ୬ ମାସ ମଧ୍ୟରେ ବାଂଲାଦେଶ ଚୁକ୍ତି ଅନୁସାରେ ୯୦ ହଜାର ଟନ ଡିଜେଲ ପାଇବ। ଏହାପରେ ବାକି ଡିଜେଲ ଭାରତ ପଠାଇବ। ସୋମବାର ଅପରାହ୍ନ ୩.୨୦ରୁ ଡିଜେଲ ପଠାଇବା ଆରମ୍ଭ ହୋଇଥିବା ବେଳେ ୫ ହଜାର ଟନ ତେଲ ଉତ୍ତୋଳନ କରିବାକୁ ୪୪ ଘଣ୍ଟା ସମୟ ଲାଗିବ। ଏବେ ଘଣ୍ଟାକୁ ୧୧୩ ଟନ ଡିଜେଲ ଉତ୍ପାଦନ ହେଉଥିବା ଜଣାପଡ଼ିଛି। ସେହି ଅନୁସାରେ ମଙ୍ଗଳବାର ରାତି ସୁଦ୍ଧା ୫ ହଜାର ଟନ ଡିଜେଲ ବାଂଲାଦେଶ(Bangaldesh) ପାଖରେ ପହଞ୍ଚି ଯିବ।



