ମାଲକାନଗିରି – (ଜାଗ୍ରତ ଭାରତ) ମାଲକାନଗିରି ବନ ବିଭାଗ ଅଧୀନ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରୁ ଆଜି ୬୩୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଯାହାର ଓଜନ ୨ଟନ୍ ଜବତ କରିଛନ୍ତି।
ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାର କୋରକୁଲା ଗାଁର ଦୁଇଜଣ ବ୍ୟକ୍ତି ବେଆଇନ ଭାବରେ କଇଁଛଗୁଡ଼ିକୁ ଓଡ଼ିଶା ସୀମାକୁ ବାଣିଜ୍ୟ ଏବଂ ଓଡ଼ିଶାରୁ ପାଂଚ ଜଣଙ୍କୁ ବିକ୍ରି କରିବା ପାଇଁ ଆଣୁଥିଲେ ।
ନିର୍ଭରଯୋଗ୍ୟ ସୂଚନା ପାଇ ମୋଟୁ ରେଞ୍ଜ କର୍ମଚାରୀମାନେ ଚଢାଉ କରି ଅବୈଧ ବନ୍ୟପ୍ରାଣୀ ବାଣିଜ୍ୟରେ ସମ୍ପୃକ୍ତ ସମସ୍ତ ସାତ ଜଣଙ୍କୁ ଗିରଫ କରିଛନ୍ତି।
ଅଭିଯାନ ସମୟରେ, ବନ କର୍ମଚାରୀମାନେ ମହିନ୍ଦ୍ରା ବୋଲେରୋ ପିକ୍ଅପ୍ ଗାଡ଼ି ରୁ ୩୮ଟି ପ୍ଲାଷ୍ଟିକ ଟ୍ରେ ଓ ୪୦ଟି ବସ୍ତା ରୁ ୬୩୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଜବତ କରିବା ସହ ସେମାନଙ୍କ ଠାରୁ ୬ ଟି ମୋବାଇଲ୍ ଫୋନ୍,ଗୋଟିଏ ବଜାଜ୍ ଡିସ୍କଭର ମୋଟରସାଇକେଲ୍, ଗୋଟିଏ ହୋଣ୍ଡା ଡ୍ରିମ୍ ନିଓ ମୋଟରସାଇକେଲ୍ ଜବତ କରି ସହିତ ଗିରଫ ବ୍ୟକ୍ତିମାନଙ୍କୁ ମୋଟୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ବନ୍ୟପ୍ରାଣୀ ଅପରାଧ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।



