
ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ

ଅନୁଗୋଳ,ତା.୨୧.୦୩:- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଊଦଘାଟନ କରିଥିଲେ ।

ପୂର୍ବାହ୍ନରେ ବଅଁରପାଳ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ଏବଂ • ତୁରଙ୍ଗ ଠାରେ ନିର୍ମିତ ଯାତ୍ରୀ ବିଶ୍ରାମଗାର ଊଦଘାଟନ କରିଥିଲେ । ପରେ ପରେ ଡେରଜାଙ୍ଗ ଡ୍ୟାମ ଠାରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କରିଥିଲେ । ଡେରଜାଙ୍ଗର ପ୍ରାକୃତିକ ଶୋଭାରାଜି ମଧ୍ୟରେ ଏହି ପର୍ଯ୍ୟଟନ ସୁବିଧା ଜିଲ୍ଲାକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବ ବୋଲି ସେ କହିଥିଲେ। ଏହାପରେ ଅନୁଗୋଳ ଛେଣ୍ଡିପଦା ଠାରେ ବାଲିପଟ୍ଟା ରାଜସ୍ବ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟର ଊଦଘାଟନ କରିଥିଲେ ।

ଅପରାହ୍ନରେ ଛେଣ୍ଡିପଦା ଠାରେ ଆୟୋଜିତ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୧୬୨.୯୧ କୋଟି ଟଙ୍କା ମୂଲ୍ୟର ୩୫ଟି ପ୍ରକଳ୍ପର ଶିଳାନ୍ୟାସ ସହ ୮.୭୩ କୋଟି ଟଙ୍କା ମୂଲ୍ୟର ୬ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ। ବିକାଶ ସହ ପରିବେଶର ସୁରକ୍ଷା ମଧ୍ୟ ଅପରିହାର୍ଯ୍ୟ, ସେଥିପାଇଁ ଆଗାମୀ ପିଢି ପାଇଁ ଏକ ସ୍ଵଚ୍ଛ ପରିବେଶ ଗଢ଼ିବା ଲକ୍ଷରେ ସ୍କୁଲ୍ ବର୍ଜ୍ୟ ପରିଚାଳନା ମଡ୍ୟୁଲ ‘Plastic to Purpose’ ପ୍ରଶଂସନୀୟ ବୋଲି କହିଥିଲେ।

ଏହି ମଡ୍ୟୁଲ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ପ୍ଲାଷ୍ଟିକ ବର୍ଜ୍ୟର ପରିଚାଳନା କରିବା ସହ ‘ପ୍ଲାଷ୍ଟିକ୍ ଆକ୍ସନ ଟିମ୍” ଗଠନ କରି ନେତୃତ୍ବ ନେବାକୁ ସକ୍ଷମ ହେବେ ଓ ସ୍କୁଲ ଗୁଡିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ସହ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏହି ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଶିକ୍ଷକମାନେ ଦାୟିତ୍ବ ନେବେ ବୋଲି ସେ କହିଥିଲେ।

ଏହାପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା ବାଗେଡିଆ ଠାରେ ଆୟୋଜିତ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଊଦଯାପନୀ ସମାରୋହରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଊତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ, ଆରକ୍ଷି ଅଧିକ୍ଷକ ରାହୁଳ ଜୈନ, ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।




