ବିହାରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆସ୍ଥା ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି। ଆସ୍ଥା ଭୋଟ ପାଇଁ ଶୁକ୍ରବାର ବିହାର ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ୨୦୨ ସଦସ୍ୟ ରହିଛନ୍ତି। ତେଣୁ ବାଚନିକ ଭୋଟରେ ଆସ୍ଥା ଭୋଟ ପ୍ରସ୍ତାବ ଗୃହୀତ ହୋଇଥିବା କୁହାଯାଇଛି।
ଆସ୍ଥା ଭୋଟ ଜିତିବା ପରେ ବିଧାନସଭା ବାଚସ୍ପତି ପ୍ରେମ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିକ୍ରିୟା ପ୍ରକାଶ କରିି ସମ୍ରାଟ ଚୌଧୁରୀ କହିଛନ୍ତି ଯେ ତାଙ୍କ ସରକାର ଟ୍ରିପିଲ ‘ସି’ ଯଥା କରପ୍ସନ (ଦୁର୍ନୀତି), କ୍ରାଇମ (ଅପରାଧ) ଏବଂ କମ୍ୟୁନାଲିଜମ (ସାଂପ୍ରଦାୟିକତା) ସହ କୌଣସି ପ୍ରକାର ସାଲିସ କରିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତ ବ୍ଲକ, ତହସିଲ ଓ ଥାନା କାର୍ଯ୍ୟକୁ ତଦାରଖ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତିି। ଏହା ବ୍ୟତୀତ ଘରୋଇ ପୁଞ୍ଜି ବିନିଯୋଗ, ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ କୃଷି ଉପରେ ଗୁରୁତ୍ବାରୋପ କରାଯିବ ବୋଲି ସେ କହିଛନ୍ତି।



