ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିନିକିଆ ଅନୁଗୋଳ ଗସ୍ତ

ଅନୁଗୋଳ, ୦୫.୦୫ : ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଅନୁଗୋଳ ଗସ୍ତରେ ଆସି ସହରର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପୂର୍ବାହ୍ନରେ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ପରେ ଆହାର କେନ୍ଦ୍ର ପରିଦର୍ଶନ କରି ସେଠାକାର ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ତାମଡା (TAMDA) ଦ୍ଵାରା ଆୟୋଜିତ ୨୯ତମ ପ୍ରାଧିକରଣ ବୈଠକରେ ଯୋଗ ଦେଇ ତାମଡ଼ାର ରାଜସ୍ୱ, ଏହାର କାର୍ଯ୍ୟକାରିତା,ବିଭିନ୍ନ ସମସ୍ୟା ଏବଂ ଏହା ଅଧୀନରେ ଥିବା ମାର୍କେଟ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପଗୁଡିକର ଉନ୍ନତିକରଣ ତଥା ପୁନରୁଦ୍ଧାର ବିଷୟରେ ଆଲୋଚନା କରିଥିଲେ। ଖାଲି ଥିବା ଜାଗାମାନଙ୍କୁ ସହରର ଉନ୍ନତିକରଣ ଯୋଜନାରେ ସାମିଲ କରିବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ମାନ୍ୟବର ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ମାନ୍ୟବର ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ତାଳଚେର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ପବିତ୍ର ଭୂତିଆ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତାଳଚେର ଉପ ଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅପରାହ୍ନରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା(DUDA)ର ବୈଠକରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ସହରର ବର୍ଜ୍ୟବସ୍ତୁ ପରିଚାଳନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ହିତାଧିକାରୀଙ୍କୁ ଗୃହ ପ୍ରଦାନ , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY) ଅଧୀନରେ ଭେଣ୍ଡିଂ ଜୋନ୍ ସହ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମିଶନ ଶକ୍ତି ଗୃହର ସୁବିଧା, ପିଏମ୍ ସ୍ୱନିଧି ଯୋଜନା, ସହରାଞ୍ଚଳର ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ମାର୍ଟ LED ଷ୍ଟ୍ରିଟ୍ ଲାଇଟ୍ ଉପରେ ଆଲୋଚନା କରିଥିଲେ। ଏହା ସହ ପ୍ରାୟ ୫ କୋଟି ୪ ଲକ୍ଷ ୨୨ ହଜାର ୧୮୫ ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ସହରର ଭିତ୍ତିଭୂମି ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ମନ୍ତ୍ରୀ ନୂତନ ଭେଣ୍ଡିଂ ଜୋନ୍, ନୂତନ ଶ୍ମଶାନ , ପାର୍କ, ଓପନ୍ ଜିମ୍ ର ଶିଳାନ୍ୟାସ ସହିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ, ପୌରପାଳିକାର ଆବର୍ଜନା ଗାଡି (ଏଲସିଭି ) ପ୍ରଦାନ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନ କରିଥିଲେ। ରାଜ୍ୟ ସରକାର ସହରାଞ୍ଚଳର ସୁବିଧା ସୁଯୋଗ ବୃଦ୍ଧି ଏବଂ ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ପ୍ରତିବଦ୍ଧ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିବା ସହ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଆଲୋଚନା କରିଥିଲେ।




