ଜମି ଦୁର୍ନିତୀ ପ୍ରସଙ୍ଗପୋଲିସ୍ ଖୋଜୁଛି ସୂରାକ୍, ସବ-ରେଜିଷ୍ଟାରଙ୍କୁ ଜେରା
ତାଳଚେର, ୦୫/୦୫ ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ଗ୍ରାମରେ ହୋଇଥିବା ଜମିଦୁର୍ନିତୀ ଘଟଣା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବାପରେ ବିଭିନ୍ନ କଳ୍ପନାଜଳ୍ପନା ତାଳଚେର ଅଂଚଳରେ ବୃଦ୍ଧି ପାଇବା ସହ ଜମିଦଲାଲଙ୍କ ମନରେ ଛନକା ପଶିଥିଲା । ଏହି ପ୍ରସଙ୍ଗରେ ତାଳଚେର ପୋଲିସ୍ ଜମିଦୁର୍ନିତୀ ଘଟଣାରେ ସବରେଜିଷ୍ଟାରଙ୍କ ସହ କିଛି କର୍ମଚାରୀଙ୍କୁୁ ଥାନାକୁ ଡ଼କାଇ ଜେରା କରିଥିବା କୁହାଯାଉଛି । ତାଳଚେର ତହସିଲ ଅଂଚଳର କଙ୍କିଳି ଗ୍ରାମର ଗୋଲେଖ ପ୍ରଧାନଙ୍କ ପିତା ଶିଶି ପ୍ରଧାନଙ୍କ ନାମରେ କଙ୍କିଳି ମୌଜାରେ ଖାତା ନଂ- ୬୬୬, ଏ-୧୨.୮୭ ଡ଼େସିମିଲି ଜମି ରହିଥିଲା । ପିତାଙ୍କ ପରଲୋକ ପରେ ଜମି ପଟ୍ଟା ସଂଶୋଧନ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା । ମ୍ୟୁଟେସନ୍ କେସ୍ ନଂ-୩୭୪୮/୨୦୨୫ ଅନୁଯାୟୀ ଦୁଇଭାଇ ଗଙ୍ଗଧର ପ୍ରଧାନ ଓ ଗୋଲେଖ ପ୍ରଧାନ, ବିବାହିତ ଦୁଇଭଉଣୀ ରମାବତୀ ବେହେରା ଓ ଜମୁନା ସାହୁଙ୍କ ନାମରେ ଜମି ରେକର୍ଡ଼ କରାଯାଇଥିଲା । ସଂଶୋଧିତ ଖାତା ୬୬୬ରେ ଥିବା ୩ଟି ପ୍ଲଟରୁ ସର୍ବମୋଟ ୦.୪୬ ଡ଼େସିମିଲି ଜମିକୁ ତାଳଚେର ଉପନିବନ୍ଧକ କାର୍ଯ୍ୟାଳୟରେ ଜମିବିକ୍ରି କବଲା ୧୦ ନଭେମ୍ବର ୨୦୨୫ ମସିହାରେ ତାପସ ପ୍ରଧାନ, ସତ୍ୟବ୍ରତ ପ୍ରଧାନ, ଅନିଶ ପ୍ରଧାନ, ଦିନେଶ ପ୍ରଧାନ, କାହ୍ନା ପ୍ରଧାନଙ୍କ ନାମରେ ବେଆଇନଭାବେ ପଟ୍ଟା କରାଯାଇଛି । ଏହି ଜମିରେ ଘର ଏବଂ ଗଛ ରହିଥିଲେ ମଧ୍ୟ ତାହା ଉଲ୍ଲେଖ କରାଯାଇ ନାହିଁ ବୋଲି ଗୋଲେଖ ପ୍ରଧାନ ଏହା ଅଭିଯୋଗ କରିଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା ଏବଂ କୌଣସି ଅଭିଯୋଗ ପାଇ ଥାନା ଅଧିକାରୀ ସବରେଜିଷ୍ଟାର ଓ କିଛି କର୍ମଚାରୀଙ୍କୁ ଏହିି ଜାଲିଆତି ଘଟଣାର ଜେରା କରିଥିବା ଜଣାପଡ଼ିଛି । ତେବେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ କେବଳ ବାକି ରହିଛି ।



