
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରଙ୍ଗସ୍ଥିତ ‘ଶ୍ରୀ ମେଟାଲିକ୍ସ’ କାରଖାନାରେ ଘଟିଥିବା ଅଭାବନୀୟ ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଗତ ୦୪.୦୫.୨୦୨୬ ରିଖ ରାତି ପ୍ରାୟ ୮.୩୦ ମିନିଟ ସମୟରେ ପ୍ଲାଣ୍ଟର DRI Unit ର କିଲାନ-୧ରେ ‘Accretion Cutting & Cleaning’ କାର୍ଯ୍ୟ ଚାଲିଥିବା ବେଳେ ୩ ଶ୍ରମିକଙ୍କ ଅକସ୍ମାତ୍ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟିଙ୍କୁଡ଼ା ଗ୍ରାମର ପିଣ୍ଟୁ କୁମାର, ଶ୍ରୀଧର ବାଘଲ୍ ଏବଂ ଖିଲାରିପଡ଼ାର ମଙ୍ଗଳ ମାଝୀ।ପ୍ରାଥମିକ ତଦନ୍ତ ପରେ ଦୁର୍ଘଟଣା ଘଟିଥିବା କିଲାନ-୧ (Kiln-1) କୁ ତୁରନ୍ତ ବନ୍ଦ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଏକ ସ୍ୱତନ୍ତ୍ର ଅଡିଟ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ କାରଖାନାର ସୁରକ୍ଷା ଯାଞ୍ଚ କରାଯିବ। ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ୧.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୭ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ଲାଣ୍ଟ ମ୍ୟାନେଜମେଣ୍ଟ ରାଜି ହୋଇଛନ୍ତି। କ୍ଷତିପୂରଣ ଆଇନ,୧୯୨୩ ଅନୁଯାୟୀ ପ୍ରତି ପରିବାର ପ୍ରାୟ ୧୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଏହି ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ଆଇନଗତ ସହାୟତା ଓ ସରକାରୀ ପ୍ରାପ୍ୟ ଶୀଘ୍ର ଯୋଗାଇ ଦେବା ପାଇଁ ନିଶ୍ଚିତ କରାଯାଇଛି।



