ଏସବିଆଇ ବ୍ୟାଙ୍କରେ ନାହିଁ ଟଙ୍କା : ଗ୍ରାହକ ହତାଶ
ତାଳଚେର, ୦୬/୦୫ ବର୍ତମାନ ସମୟରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କର ଟଙ୍କାର ଆବଶ୍ୟକତା ରହିଥିବା ବେଳେ ତାଳଚେର ଷ୍ଟେଟବ୍ୟାଙ୍କ ପରିସରରେ ଥିବା ନିଜସ୍ୱ ଏଟିଏମକୁ ବାଦ୍ ଦେଲେ ସହରରେ ଅନ୍ୟ ଯେଉଁ ଏସବିଆଇ ଏଟିଏମ ଗୁଡ଼ିକ ରହିଛି ସେଗୁଡ଼ିକରେ ଆଜକୁ ତିନିଦିନ ହେବ ଟଙ୍କା ନଥିବାରୁ ଲୋକେ ନାହିଁନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଏପରିକି, ଲୋନ ନୁହେଁ କିମ୍ବା କରଜ ନୁହେଁ ଗ୍ରାହକମାନେ ନିଜସ୍ୱ ଟଙ୍କାରୁ ୧ଲକ୍ଷଟଙ୍କା ଉଠାଇବାକୁ ଗଲେ ବ୍ୟାଙ୍କ କର୍ତୁପକ୍ଷ କୁଆଡ଼େ ସେମାନଙ୍କୁ୍ୁ ଟଙ୍କା ଦେଉନାହିଁ ବୋଲି ଏପରିଏକ ଅଭିଯୋଗ ଆଣିଛନ୍ତି ଏହି ବ୍ୟାଙ୍କର ଏକାଧିକ ଗ୍ରାହକ । ଏହି ଗ୍ରାହକମାନେ ସେମାନଙ୍କ କନ୍ୟାକୁ ବିବାହ ଦେବାକୁ ପୂର୍ବରୁ ରଖିଥିବା ଗଚ୍ଛିତ ଟଙ୍କାରୁ ୧ଲକ୍ଷ ଉଠାଇବାକୁ ଯାଇଥିଲେ । ମାତ୍ର ବ୍ୟାଙ୍କ କର୍ତୁପକ୍ଷ ସେମାନଙ୍କୁ ଏତେ ଗୁଡ଼ାଏ ଟଙ୍କା ପ୍ରଦାନ କରିବାକୁ ଅସମର୍ଥ ବୋଲି ଜଣାଇଥିଲେ । ତେବେ ଶିଳ୍ପନଗରୀ ତାଳଚେର ଅଂଚଳରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବା ସହ ଲୋକଙ୍କର ବ୍ୟବସାୟ ମଧ୍ୟ ସେହି ଅନୁପାତରେ ବଢ଼ି ଚାଲିଛି ଏବଂ ଏପରିକି ପେନ୍ସନ୍ ଭୋଗୀ, ଚାକିରୀଆ ମଧ୍ୟ କମନୁହେଁ । ଯଦି ଏସବିଆଇ ଭଳି ବ୍ୟାଙ୍କରେ ଏଭଳି ଅବସ୍ଥା ଉପୁଜେ ତେବେ ଗ୍ରାହକମାନେ କେଉଁଠାରେ ଟଙ୍କା ରଖିବେ ବୋଲି ସିଧାସଳଖ ପ୍ରଶ୍ନ ସୃଷ୍ଟି କରୁଛି । ତେଣୁ ତୁରନ୍ତ ଆରବିଆଇ ଏଥିରେ ହସ୍ତକ୍ଷେପ କରିବାକୁ ବ୍ୟାଙ୍କ ଗ୍ରାହକମାନେ ଦାବି କରିଛନ୍ତି ।



