ନୁଆଦିଲ୍ଲୀ: ଦଶଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୮ରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଉକ୍ତ ଦିନ ଅପରାହ୍ଣ ୫ଟା ଫଳାଫଳ ଘୋଷଣା କରାଯିିବ। ଜୁନ ୨୧ରୁ ଜୁଲାଇ ୧୯ ମଧ୍ୟରେ ଏହି ସାଂସଦଙ୍କର କାର୍ଯ୍ୟକାଳ ପୂରିଯାଉଥିବାରୁ ନିର୍ବାଚନ ଜରୁରୀ ହୋଇପଡିଛି। ଏଥିମଧ୍ୟରୁ ଗୁଜରାଟ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରାଜସ୍ଥାନ, ମଧ୍ୟପ୍ରଦେଶରେ ପ୍ରତ୍ୟେକ ୩ଟି, ଝାଡଖଣ୍ଡର ୨ଟି ଏବଂ ମିଜୋରାମ, ମଣିପୁର, ମେଘାଳୟ ଓ ଅରୁଣାଚଳ ପ୍ରଦେଶର ପ୍ରତ୍ୟେକ ଗୋଟିଏ ଆସନ ସାମିଲ ଥିବା ଜଣାପଡିଛି।
ରାଜ୍ୟସଭାରୁ ଅବସର ନେଉଥିବା ପ୍ରମୁଖ ସାଂସଦଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡା, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସାମିଲ ଅଛନ୍ତି। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଜୁନ ୮କୁ ଧାର୍ଯ୍ୟ କରାଯାଇଛି। ଜୁନ ୯ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ଜୁନ ୧୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଉଥିବାବେଳେ ଜୁନ ୧୮ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଉପରୋକ୍ତ ୨୪ଟି ମଧ୍ୟରୁ ଏନଡିଏର ୧୬ ଜଣ ସାଂସଦ ଥିବାବେଳେ ଇଣ୍ଡି ମେଣ୍ଟର ୫, ୱାଇଏସଆର କଂଗ୍ରେସର ୩ ଜଣ ସାଂସଦ ରହିଛନ୍ତି।
ଏହା ବ୍ୟତୀତ ଜୁନ ୧୮ରେ ମହାରାଷ୍ଟ୍ର ଓ ତାମିଲନାଡୁର ଗୋଟିଏ ଲେଖାଏଁ ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ ବୋଲି ଇସିଙ୍କ ସୂତ୍ରରୁ ଜଣାପଡିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପୱାର ବାରାମତି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ଜିତିଥିବାରୁ ରାଜ୍ୟସଭା ସାଂସଦ ପଦ ଛାଡିଛନ୍ତି। ଅପରପକ୍ଷରେ ତାମିଲନାଡୁରେ ଏଆଇଏଡିଏମକେ ନେତା ସି.ସନମୁଗମ୍ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ମୈଲମ ଆସନରେ ବିଜୟୀ ହୋଇଥିବାରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।



