ଉତ୍କଟ ପାନୀୟ ଜଳ ସମସ୍ୟାରେ ପେଷି ହେଉଛନ୍ତି ବଡ଼ତଇଳା ସାହିବାସୀ

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତର ବଡ଼ତଇଳା ସାହିରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସଙ୍କଟ। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଖରାଦିନ ଆସିବା ସହ ପରିସ୍ଥିତି ଆହୁରି ଜଟିଳି ହୋଇପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ, ନାଲକୋ କ୍ଷତିଗ୍ରସ୍ତ ଗ୍ରାମ ଭାବେ ବଳରାମ ପ୍ରସାଦ ପରିଚିତ ହୋଇଥିଲେ ମଧ୍ୟ ବଡ଼ତଇଳା ସାହି ପ୍ରତି ନାଲକୋ କିମ୍ବା ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ।ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଇପ ଜଳ ବ୍ୟବସ୍ଥା ମଧ୍ୟ ନାମକୁ ମାତ୍ର ସୀମିତ ରହିଛି। ତିନି ଦିନରେ ଥରେ ପାଣି ଆସୁଥିବାବେଳେ ତାହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ପାଇପ ପାଣିରେ ମଇଳା ଓ ବିଭିନ୍ନ ପ୍ରକାର ଅଶୁଦ୍ଧ ପଦାର୍ଥ ଆସୁଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଫଳରେ ଏହି ପାଣି ପିଇବା ତ ଦୂରର କଥା, ଘରୋଇ କାମରେ ମଧ୍ୟ ବ୍ୟବହାର କରିବା କଷ୍ଟକର ହୋଇପଡ଼ିଛି।
ଅନ୍ୟପଟେ, ପ୍ରାୟ ୫୦ଟି ପରିବାର ପାଇଁ ମାତ୍ର ଗୋଟିଏ ନଳକୂପ ଭରସା ସାଜିଛି। ସେହି ନଳକୂପର ପାଣି ବ୍ୟବହାର କରି ଅନେକ ଲୋକ କିଡନି ଜନିତ ରୋଗରେ ପୀଡ଼ିତ ହୋଇଥିବା ଅଭିଯୋଗ ହୋଇଛି। କେତେକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଚିକିତ୍ସାଧୀନ ଥିବା ସ୍ଥାନୀୟବାସୀ କହିଛନ୍ତି।
ବାରମ୍ବାର ଅଭିଯୋଗ ଓ ଦାବି ସତ୍ତ୍ୱେ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ତୁରନ୍ତ ପଦକ୍ଷେପ ନେଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେମାନେ ସ୍ଥାନୀୟ ବିଧାୟକ ଓ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି।



