ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନର ଅଗ୍ରଗତି ସଂପର୍କରେ ସୂଚ଼ନା ପ୍ରଦାନ
ଢ଼େଙ୍କାନାଳ, ତା. ୧/୭- ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ଜିଲ୍ଲାରେ ସମୁଦାୟ ୯ ଲକ୍ଷ ୬୨ ହଜାର ୮୨୬ ଜଣ ଭୋଟର ତାଲିକା ଭୁକ୍ତ ଥିଲେ । ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୯ ଲକ୍ଷ ୬୨ ହଜାର ୮୨୬ ସଂଖ୍ୟକ ଏନ୍ଯୁମେରେସନ୍ ଫର୍ମ ଭୋଟର ମାନଙ୍କୁ ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ୫୮ ହଜାର ୫୬୭ ଟି ଫର୍ମ ଭୋଟରମାନଙ୍କ ଠାରୁ ବିଭିନ୍ନ କାରଣ ଯୋଗୁଁ ସଂଗ୍ରହ କରାଯାଇପାରି ନାହିଁ । ସେମାନଙ୍କ ମଧ୍ୟରୁ ୬,୧୨୩ ଜଣ ଅନୁପସ୍ଥିତ ଅଛନ୍ତି, ୨୧,୪୭୭ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଯାଇଥିବା ବେଳେ ୫,୪୮୨ ଜଣ ଅନ୍ୟ ସ୍ଥାନରେ ପଞ୍ଜିକୃତ ହୋଇଛନ୍ତି , ୫୩୦ ଜଣ ଅନ୍ୟାନ୍ୟ କାରଣ ବଶତଃ ଅନୁପସ୍ଥିତ ଥିବା ଜଣାଯାଇଛି ଏବଂ ୨୪,୯୫୫ ଜଣ ମୃତ୍ୟୁ ବରଣ କରିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ପ୍ରକାଶିତ ହେବାକୁ ଥିବା ଚ଼ିଠା ଭୋଟର ତାଲିକାକୁ ବୁଥ୍ ସ୍ତରୀୟ ଏଜେଣ୍ଟମାନେ ଯାଞ୍ଚ୍ କରି କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ନଥିଲେ , ତାଲିକାଭୁକ୍ତ କରିବା ପାଇଁ ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ବି.ଏଲ୍. ଓ. / ପଞ୍ଜିକରଣ ଅଧିକାରୀ/ ସହକାରୀ ପଞ୍ଜିକରଣ ଅଧିକାରୀଙ୍କ ସହିତ ଯୋଗାଯୋଗ କରି କିମ୍ବା ଅନ୍ ଲାଇନ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଜେପିର ଶ୍ରୀ ବିଘ୍ନେଶ୍ଵର ଦୋରା, ଭାରତୀୟ ଜାତୀୟ କଂଗ୍ରେସର ଶିଳ୍ପୀଶ୍ରୀ ଶୁଭଦର୍ଶିନୀ ହରିଚ଼ନ୍ଦନ, ବିଜେଡିର ପ୍ରତିନିଧି ଶ୍ରୀ ବିଷ୍ଣୁ ପ୍ରସାଦ କର ଏବଂ ଆମ୍ ଆଦମୀ ପାର୍ଟିର ପ୍ରତିନିଧି ଶ୍ରୀ ପଙ୍କଜ କୁମାର ନାୟକ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ନିର୍ବାଚ଼ନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



