ଅନୁଗୋଳରେ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମ: ୧୦୦୦ କେଜିରୁ ଅଧିକ ଚୋରା ଗଞ୍ଜେଇ ନଷ୍ଟ
ଅନୁଗୋଳ: ମାନ୍ୟବର ଓଡ଼ିଶା ପୋଲିସ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ ଅନୁଗୋଳ ପୋଲିସ ପକ୍ଷରୁ ନାଲକୋ ଥାନା ଅଧୀନସ୍ଥ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଇନସିନେରେଟରରେ ରାଜ୍ୟସ୍ତରୀୟ ପ୍ରାକ୍-ପରୀକ୍ଷା ନିଶା ନିବାରଣ କାର୍ଯ୍ୟକ୍ରମ ଓ ସାମୂହିକ ନିଶା ନିବାରଣ ପ୍ରତିଜ୍ଞା ସମାରୋହ ଅନୁଷ୍ଠିତ ହୋଇଥିଲା।
ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ୧୦୦୦ କିଲୋଗ୍ରାମରୁ ଅଧିକ ଜବତ ଚୋରା ଗଞ୍ଜେଇକୁ ନିୟମାନୁସାରେ ନଷ୍ଟ କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର-ମଧ୍ୟ ରେଞ୍ଜ (NCR)ର ଆଇଜିପି ଶ୍ରୀ ସତ୍ୟବ୍ରତ ଭୋଇ, ଆଇପିଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ।
ଏହା ସହିତ ଅନୁଗୋଳ ଜିଲ୍ଲାର ସମସ୍ତ ଥାନାରେ ‘ଆମ ପୋଲିସ ସମିତି’ ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରାୟ ୧,୩୦୦ ଜଣ ନାଗରିକ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ନିଶା ଅପବ୍ୟବହାର ବିରୋଧରେ ସାମୂହିକ ସଚେତନତା ଓ ସଂକଳ୍ପକୁ ଆହୁରି ସୁଦୃଢ଼ କରିଥିବା ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି।



