ତାଳଚେରର ରାଣୀପାର୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ
ତାଳଚେର, ୦୧/୦୭ ତାଳଚେରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହିତ ପ୍ରଦ୍ୟୁଷଣ ରୋକିବା ଦିଗରେ ସହର ମଧ୍ୟରେ ଥିବା ରାଣୀପାର୍କ ଜଙ୍ଗଲର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ପ୍ରାୟ ୬ଶହ ଏକର ଅଂଚଳରେ ଏହି ରାଣୀପାର୍କ ଉଦ୍ୟାନ ତଥା ଜଙ୍ଗଲ ରାଜାରାଜୁଡ଼ା ଅମଳରୁ ରହିଥିଲା । ରାଜୁଡ଼ା ଶାସନ ସମାପ୍ତ ପରେ ଏହି ସବୁ ଜଙ୍ଗଲ ସରକାରଙ୍କ ହାତକୁ ଚାଲିଯାଇଥିଲା । କିନ୍ତୁ ପରିତାପର ବିଷୟ ସରକାରଙ୍କ ହାତକୁ ଏହି ରାଣୀପାର୍କ ଜଙ୍ଗଲ ଚାଲିଯିବାପରେ ଧିରେଧିରେ ଧ୍ୱଂସ ପାଇବା ସହିତ ପଶୁପକ୍ଷୀ ମଧ୍ୟ ଲୋପ ପାଇଗଲେ । ରାଜା ଶାସନ କାଳରେ ରାଣୀପାର୍କ ଚର୍ତୁପାଶ୍ୱର୍ରେ ବୃହତ ପାଚେରୀ ନିର୍ମାଣ କରଯାଇଥିଲା । କାଳକ୍ରମେ ତାହା ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା । ଏହାର ସୁରକ୍ଷା ନିମନ୍ତେ ବିଭିନ୍ନ ସମୟରେ ଅନେକ ଅନୁଷ୍ଠାନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ରାଣୀପାର୍କ ପୁନରୁଉଦ୍ଧାର କାର୍ଯ୍ୟ କରିବାକୁ ଅଂଟା ଭିଡ଼ିଥିଲା ପ୍ରଶାସନ । ଦାବିପରେ ପ୍ରଶାସନ ଓ ଏମସିଏଲ ପକ୍ଷରୁ ଚର୍ତୁପାଶ୍ୱର୍ରେ ନୂତନ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି । ରାଣୀପାର୍କ ଜଙ୍ଗଲର ସୁରକ୍ଷା ଦିଗରେ ଏହା ଏକ ଉପଯୋଗୀ ପଦକ୍ଷେପ । ପୂର୍ବେ ତାଳଚେର ଏକ ସବୁଜବନାନୀରେ ବେଶ ପରିଚିତ ଥିଲା । ବିଭିନ୍ନ କିସମର ବୃକ୍ଷଲତା ତରୁରେ ଅଂଚଳଟିି ଭରାଥିବା ସହ ପଶୁପକ୍ଷୀମାନେ ଏହି ସବୁଜବନାନୀରେ ବସବାସ କରୁଥିଲେ । ଏହି ଜଙ୍ଗଲରେ ଔଷଧୀୟ ବୃକ୍ଷ, ଫଳମୂଳ ଏବଂ ଜାଳେଣି ପାଇଁ ଆଖପାଖ ଅଂଚଳର ବାସୀନ୍ଦାମାନେ କାଠ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ । ବିଶେଷ କରି ଏ ଅମଳର ଲୋକମାନଙ୍କର ଅତି ହାଲୁକାରେ ସ୍ୱାସ୍ଥ୍ୟ ଖରାପ ହେଉନଥିଲା, କାରଣ ପରିବେଶ ସନ୍ତୁଳନ ସହ ସୁରକ୍ଷିତ ଜଳବାୟୁର ପରିବର୍ତନ ମଧ୍ୟ ସମୟ ଅନୁସାରେ ଗତି କରୁଥିଲା । ଆଜିକାଲି ଆଧୁନିକ ଯୁଗରେ ଯେଉଁ ପ୍ରକାର ଲୋକଙ୍କୁ ବିଭିନ୍ନ ରୋଗଗ୍ରାସ୍ କରୁଛି, ସେହି ତୁଳନାରେ ବସ୍ତିବାସୀନ୍ଦାମାନଙ୍କର ଏତେଶୟ ରୋଗ ଦେଖାଯାଉନଥିଲା ଏବଂ ସେମାନଙ୍କର ସ୍ୱାସ୍ଥ୍ୟରେ ଅବନତି ଆସିଗଲେ ସେମାନେ ତୁରନ୍ତ ଜଙ୍ଗଲର ଚେରମୂଳ ଓ ଔଷଧୀୟ ବୃକ୍ଷ ଦ୍ୱାରା ନିଜର ରୋଗକୁ ଦୂରକରି ଉପଶମ ପାଇପାରୁଥିଲେ । ଆଜି ଯୁଗ ବଦଳିଛି, କିନ୍ତୁ ଜଙ୍ଗଲ ନାହିଁ, ସଠିକ୍୍ ସମୟରେ ବର୍ଷା ନାହିଁ, ଚାଷବାଡ଼ି କାର୍ଯ୍ୟ ବ୍ୟାହାତ, ଯେଉଁଆଡ଼େ ଚାହିଁଲେ ସିଆଡ଼େ କୋଠାବାଡ଼ି, ଘରଦ୍ୱାରା, ଖଣିଖାଦାନ, କଳକାରଖାନା, ପକ୍କାରାସ୍ତା, ମାତ୍ରାଧିକ ଯାନବାହାନ, ପ୍ରଦ୍ୟୁଷଣ, ବିପରୀତ ଜଳାବାୟୁ ପରିବର୍ତନ, ଧୂଆଁ ଧୂଳିରେ ଆଜିର ଜନସାଧାରଣ ଜର୍ଜରୀତ । ସେହିପରି ଜଙ୍ଗଲ ନଷ୍ଟ ହେବାଯୋଗୁଁ ଇତି ମଧ୍ୟରେ ଅଙ୍ଗାରକାମ୍ଳ ପରିମାଣ ଆହୁରି ଢ଼େର୍ ବଢ଼ି ଯାଇଥିବା ଅନୁମାନ କରାଯାଉଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ଜଳବାୟୁ ପରିବର୍ତନ ମୁଖ୍ୟ କାରଣ । ଅଙ୍ଗାକାମ୍ଳ ସନ୍ତୁଳନ ବିଗିଡ଼ିବା ନେଇ ସାରା ବିଶ୍ୱରେ ଚିନ୍ତିତ । ଏହାର ସିଧାପ୍ରଭାବ ପଡ଼ିଛି ପରିବେଶ ଉପରେ । ପାଣି ପାଗରୁ ଜୀବନଯାତ୍ରା ସବୁକିଛି ପ୍ରଭାବିତ ହେଉଛି, ପ୍ରଦ୍ୟୁଷଣ ବଢ଼ିବା ସହ ଫୁସ୍ଫୁସ୍ ଜନିତ ରୋଗ ମଧ୍ୟ ବଢ଼ୁଛି ବୋଲି କୁହାଯାଉଛି । ତେବେ ସରକାରଙ୍କ ପକ୍ଷରୁ ବାହ୍ୟମଳମୂକ୍ତ ଅଂଚଳଘୋଷଣା କରାଯାଇଥିବା ବେଳେ ରାଣୀପାର୍କ ଅଂଚଳରେ ଏବେ ଖୋଲା ଶୌଚାଳୟ ପାଲଟିଛି । ତେବେ ଜଙ୍ଗଲ ବିଭାଗ, ପୌରସଂସ୍ଥା, ପ୍ରଶାସନ ଓ ସ୍ଥାନୀୟବାସୀ ପୁନରୁଉଦ୍ଧାର କାର୍ଯ୍ୟରେ ସହଯୋଗ କଲେ ରାଣୀପାର୍କର ଭାଗ୍ୟ ବଦଳିବା ସହ ଏହା ନିଶ୍ୱିତଭାବେ ରାଜ୍ୟରେ ବୃହତ ଉଦ୍ୟାନ ହୋଇପାରନ୍ତା ବୋଲି ପରିବେଶବିତ୍ ମାନେ ମତପ୍ରକାଶ ପୋଷଣ କରିଛନ୍ତି ।



