ରାଇଶୋଭା ରେଡକାୟତି ସୁନାଗହଣା ଓ ନଗଦ ଟଙ୍କା ନେଇ ଚମ୍ପଟ
ଭଟଲି : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ରାୟଶୋଭା ଗ୍ରାମରେ ଗତ ବୁଧବାର ବିଲମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ଭଟଲି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରାୟଶୋଭା ଗ୍ରାମର ଲକ୍ଷ୍ମୀକାନ୍ତ ଭୋରାସାଗର (୩୬) ସପରିବାର ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରର ମୁଖ୍ୟ କବାଟ ଖୋଲି କିଛି ଦୁର୍ବୃତ୍ତ ଭିତରକୁ ପଶି ଆସିଥିଲେ | କବାଟ ଖୋଲିବା ଶବ୍ଦ ଶୁଣି ଘରଲୋକେ ଉଠିପଡ଼ି ପାଖକୁ ଯିବାରୁ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ବିଭିନ୍ନ ଜାଗାରେ ଗଚ୍ଛିତ ରଖାଯାଇଥିବା ନଗଦ ୪୮ ହଜାର ଟଙ୍କା ଓ ସମସ୍ତ ସୁନା ଗହଣା ଏବଂ ତିନିଗୋଟି ମୋବାଇଲ ଫୋନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ଭଟଲି ଥାନା କେସ୍ ନଂ ୧୯୦/ତା.୯.୭.୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଭଟଲି ପୁଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ଛାନଭିନ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା କିଛି ସୁରାକ ମିଳିନଥିବା ଜଣା ପଡ଼ିଛି। ଗୁରୁବାର ସାଇଣ୍ଟିଫିକ ଦଳ ଆସି ଘଟଣାର ଆହୁରି ଅଧିକ ତଦନ୍ତ କରିଥିବା ପୁଲିସ ସୂତ୍ରରୁ ଖବର ମିଳିଛି।



