ଭକ୍ତିମୟ ପରିବେଶରେ ମା’ ତାରିଣୀଙ୍କ ଆଷାଢ଼େଇ ପର୍ବ ପାଳିତ
🔸ଦିନତମାମ ପହଡ଼ ପରେ ସନ୍ଧ୍ୟାରେ ହେଲା ମହାସ୍ନାନ ଓ ସ୍ୱତନ୍ତ୍ର ବେଶ
ଢେଙ୍କାନାଳ ୨୩/୦୭:
ଢେଙ୍କାନାଳ ସହରର ଗାନ୍ଧୀ ମନ୍ଦିର ରୋଡ୍ସ୍ଥିତ ମା’ ତାରିଣୀଙ୍କ ପୀଠରେ ପବିତ୍ର ଆଷାଢ଼େଇ ପର୍ବ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସ ଉପଲକ୍ଷେ ଦିନତମାମ ମନ୍ଦିରର ପହଡ଼ ପଡ଼ିଥିବା ବେଳେ, ସନ୍ଧ୍ୟା ସମୟରେ ମା’ଙ୍କ ଦର୍ଶନ ତଥା ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଦ୍ୱାର ଫିଟାଯାଇଥିଲା। ମନ୍ଦିର ଫିଟାଯିବା ପରେ ପ୍ରଥମେ ମା’ ତାରିଣୀଙ୍କ ମହାସ୍ନାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ଦେବୀଙ୍କୁ ନୂତନ ବସ୍ତ୍ର ପରିଧାନ କରାଯିବା ସହ ବିଭିନ୍ନ ରଙ୍ଗବେରଙ୍ଗର ସୁଗନ୍ଧିତ ଫୁଲହାରରେ ଅତି ସୁନ୍ଦର ତଥା ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଥିଲା। ଆଷାଢ଼େଇ ପର୍ବର ବିଧି ଅନୁଯାୟୀ ମା’ଙ୍କ ନିକଟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଦେଶୀ ପିଠା, ମିଠା ଏବଂ ତାଜା ଫଳମୂଳ ପ୍ରସାଦ ରୂପେ ଲାଗି କରାଯାଇଥିଲା। ପୂଜକ ଲିଙ୍ଗରାଜ ପତିଶର୍ମା ଏବଂ ମନ୍ଦିରର ନିୟମିତ ପୂଜକ ଆପୁଲି ରଣା ଏହି ସମସ୍ତ ପୂଜାର୍ଚ୍ଚନା ଏବଂ ରୀତିନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିଥିଲେ। ମା’ଙ୍କର ଏହି ସ୍ୱତନ୍ତ୍ର ଦର୍ଶନ ତଥା ଆଶୀର୍ବାଦ ଲାଭ କରିବା ପାଇଁ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କର ସମାଗମ ଦେଖିବାକୁ ମିଳିଥିଲା।



