କଳମଛୁଇଁ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀ
ତାଳଚେର,୨୫/୦୭ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଥମ ପର୍ଯ୍ୟାୟ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମଙ୍ଗୁଳୁ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପରିଚାଳନା ସମିତିିର ଉପସଭାପତି ତପନ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଅନୀଲ କୁମାର ଦେହୁରୀ ଯୋଗ ଦେଇ ମା’ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ, ଯୁଗ୍ମ ସଂପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଂଚାନନ ବେହେରାଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ବସନ୍ତ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମଙ୍ଗୁଳୁ ସାହୁ ସମ୍ମିଳନୀର ଆଭିମୁଖ୍ୟ ସମ୍ବଦ୍ଧରେ ସୂଚନା ପ୍ରଦାନ କରିଥିଲେ । ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପାଠ୍ୟକ୍ରମ ସହ ଚଳିତ ଶିକ୍ଷାବର୍ଷରୁ ନୂତନ ଶିକ୍ଷା ନୀତି ଆଧାରରେ ଶିକ୍ଷାଦାନ କରିବା ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ୧୦୨ ଜଣ ଅଭିଭାବକ, ଅଭିଭାବିକା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ରୀତା ଭୂତିଆ ଓ ସରସ୍ୱତୀ ସାହୁ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପଂଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ ହିଂମାଶୁ ଦାସ, ସଞ୍ଜୟ ବାରିକ, ଅର୍ଚ୍ଚନା ସାହୁ, ରାଗିଣୀ ସ୍ୱାଇଁ, ପୁଷ୍ପାରାଣୀ ବେହେରା, କଳ୍ପନା ସାହୁ ପ୍ରମୁଖ ସହଯୋଗ କରିଥିଲେ ।



