ଭୁବନେଶ୍ୱର, ୨୫.୭: କାର୍ଗିଲ ବିଜୟ ଦିବସ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଭାବପୂର୍ଣ୍ଣ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସାହସ, ତ୍ୟାଗ ଓ ରାଷ୍ଟ୍ରପ୍ରେମକୁ ସ୍ମରଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ ସିବିସିର ଓଡ଼ିଶା–ଝାଡ଼ଖଣ୍ଡ କ୍ଷେତ୍ରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. ଫନୀ ମହାନ୍ତି ମୁଖ୍ୟ ଅତିଥି, ବ୍ରିଗେଡିୟର (ଡ଼.) ସର୍ବେଶ୍ୱର ଶତପଥୀ ବିଶିଷ୍ଟ ଅତିଥି ଏବଂ ଡ. ପ୍ରଶାନ୍ତ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାର୍ଗିଲ ଯୁଦ୍ଧର ଐତିହାସିକ ମହତ୍ତ୍ୱ ଓ ଦେଶପ୍ରେମର ବାର୍ତ୍ତା ଉପସ୍ଥାପନ କରିଥିଲେ।
ଅଧ୍ୟକ୍ଷୀୟ ଅଭିଭାଷଣରେ ଅଖିଳ କୁମାର ମିଶ୍ର ଯୁଦ୍ଧ ସମୟରେ ସଠିକ୍ ଯୋଗାଯୋଗ ଓ ସୂଚନା ପରିଚାଳନାର ଭୂମିକା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ବିଭ୍ରାନ୍ତିକର ସୂଚନାର ମୁକାବିଲା, ଜନସମ୍ପର୍କ ପରିଚାଳନା, ସକାରାତ୍ମକ ବୃତ୍ତାନ୍ତ ଗଠନ, ସମ୍ବାଦ ପରିଚାଳନା ଓ ଜନକୂଟନୀତି—ଏହି ପାଞ୍ଚଟି କ୍ଷେତ୍ର ଯୁଦ୍ଧକାଳୀନ ସୂଚନା ବ୍ୟବସ୍ଥାର ମୂଳ ଆଧାର। କାର୍ଗିଲ ଯୁଦ୍ଧର ଶିକ୍ଷାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ମଧ୍ୟ ସମୟର ଆବଶ୍ୟକତା ବୋଲି ସେ କହିଥିଲେ।
ବ୍ରିଗେଡିୟର (ଡ଼.) ସର୍ବେଶ୍ୱର ଶତପଥୀ କାର୍ଗିଲ ଯୁଦ୍ଧ ସମୟରେ ଜାମ୍ମୁରେ କାର୍ଯ୍ୟରତ ଥିବା ବେଳର ଅନୁଭୂତି ବର୍ଣ୍ଣନା କରି କହିଥିଲେ, କାର୍ଗିଲ ବିଜୟ କେବଳ ସାମରିକ ସଫଳତା ନୁହେଁ, ବରଂ ଭାରତର ଏକତା, ସୈନିକଙ୍କ ସାହସ ଓ ଦେଶବାସୀଙ୍କ ଦୃଢ଼ ମନୋବଳର ପ୍ରତୀକ। ସଠିକ୍ ସୂଚନା ପ୍ରସାରଣ ଜାତୀୟ ଚେତନାକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ନିର୍ବାହ କରେ ବୋଲି ସେ ମତ ରଖିଥିଲେ।
ମୁଖ୍ୟ ଅତିଥି ଡ. ଫନୀ ମହାନ୍ତି କହିଥିଲେ, କାର୍ଗିଲ ବିଜୟ ଦିବସ ଭାରତୀୟ ସୈନିକଙ୍କ ଅଦମ୍ୟ ସାହସ ଓ ଦେଶପ୍ରେମର ଅମର ପ୍ରତୀକ। ରାଷ୍ଟ୍ରର ସୁରକ୍ଷା କେବଳ ସେନାର ନୁହେଁ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟ ନୈତିକ ଦାୟିତ୍ୱ ବୋଲି ସେ କହିବା ସହ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ ଜଣାଇଥିଲେ।
ମୁଖ୍ୟ ବକ୍ତା ଡ. ପ୍ରଶାନ୍ତ କୁମାର ରାଉତ କାର୍ଗିଲ ଯୁଦ୍ଧରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ସମେତ ବୀର ଯବାନଙ୍କ ବୀରତ୍ୱ ଓ ବଳିଦାନକୁ ସ୍ମରଣ କରି କହିଥିଲେ ଯେ, ସେମାନଙ୍କ ଆଦର୍ଶ ଯୁବପିଢ଼ିଙ୍କୁ ଦେଶସେବା ପାଇଁ ସଦା ପ୍ରେରଣା ଦେଇଆସିବ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତେ ବୀର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ସଂକଳ୍ପ ନେଇଥିଲେ।



