ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି; ଟ୍ୱିନ୍ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବଳୟ
ଭୁବନେଶ୍ୱର, ୦୩/୦୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜଧାନୀ ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତିନି ଦିନିଆ ଗସ୍ତ ଅବସରରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ରାଷ୍ଟ୍ରପତି ସୋମବାର ଅପରାହ୍ନ ୨ଟା ୨୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ କଟକ ମୁଣ୍ଡଳୀସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବା ପରେ ଲୋକସେବା ଭବନକୁ ଫେରିବେ। ସେଠାରେ ରାତ୍ରିଯାପନ କରି ପରଦିନ ବ୍ରହ୍ମପୁର ଗସ୍ତରେ ଯିବେ।

ଏହି ଗସ୍ତର ବିଶେଷ ଆକର୍ଷଣ ହେଉଛି, ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ, ଯାହାକୁ ନେଇ ରେଳପଥ ଓ ଷ୍ଟେସନଗୁଡ଼ିକରେ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ ପକ୍ଷରୁ କାରକେଡ୍ର ରିହର୍ସାଲ କରାଯାଇଥିବା ବେଳେ ବିମାନବନ୍ଦରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯାଇଛି। ଗସ୍ତ ଅବଧିରେ ଭୁବନେଶ୍ୱର ଓ କଟକରେ ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ସହ କଡ଼ା ନଜରଦାରି ବ୍ୟବସ୍ଥା କରାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁଲିସ, ପ୍ରଶାସନ ଓ ଅନ୍ୟାନ୍ୟ ସଂସ୍ଥା ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା ଜଣାପଡ଼ିଛି।



