ହୀରାକୁଦରେ କମୁଛି ଜଳସ୍ତର, ୩ ଗେଟ ବନ୍ଦ; ମହାନଦୀରେ ବନ୍ୟା ଆଶଙ୍କା ନାହିଁ
ସମ୍ବଲପୁର, ୦୩/୦୮: ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ସହ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳ ପ୍ରବାହ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ହୀରାକୁଦ ଡ୍ୟାମର ୩ଟି ଗେଟ ବନ୍ଦ କରିଛି। ବର୍ତ୍ତମାନ ଡ୍ୟାମର ୧୯ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୫୮ ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୨ ହଜାର ୫୨୫ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଛି। ଅନ୍ୟପକ୍ଷରେ ୩ ଲକ୍ଷ ୪୧ ହଜାର ୭୨୪ କ୍ୟୁସେକ ଜଳ ଡ୍ୟାମରୁ ଛଡ଼ାଯାଉଛି।
ପୂର୍ବରୁ ୨୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲେ ମଧ୍ୟ, ଇନଫ୍ଲୋ କମିବା ପରେ ଜଳସମ୍ପଦ ବିଭାଗ ୩ଟି ଗେଟ ବନ୍ଦ କରି ଜଳ ନିଷ୍କାସନକୁ ନିୟନ୍ତ୍ରଣ କରିଛି।
ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା ପରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ମହାନଦୀ ସମେତ ରାଜ୍ୟର କୌଣସି ନଦୀରେ ବର୍ତ୍ତମାନ ବନ୍ୟାର ଆଶଙ୍କା ନାହିଁ। ଉପର ମୁଣ୍ଡରେ ବର୍ଷା ନ ହେବାରୁ ଆଗାମୀ କିଛି ଦିନ ମଧ୍ୟରେ ହୀରାକୁଦର ଜଳସ୍ତରରେ ବଡ଼ ଧରଣର ବୃଦ୍ଧି ହେବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜଳସମ୍ପଦ ବିଭାଗର ଏହି ପଦକ୍ଷେପ ପରେ ତଳମୁଣ୍ଡ ଅଞ୍ଚଳର ଲୋକଙ୍କ ମଧ୍ୟରେ ବନ୍ୟା ନେଇ ଥିବା ଆଶଙ୍କା କିଛି ପରିମାଣରେ ହ୍ରାସ ପାଇଛି।



