ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ପୋଷ୍ଟ: ଯୁବକ ଗିରଫ, ମୋବାଇଲ ଜବତ
କେନ୍ଦୁଝର, ୦୩/୦୮: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଓ ଭିଡିଓ ପୋଷ୍ଟ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ସୁଶାନ୍ତ ଦାସ (୨୮) ନିଜ ଫେସବୁକ୍ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ସହ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ନେଇ ସାମାଜିକ ଓ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।
ଏହାପରେ କଳିଙ୍ଗା ଗ୍ରାମର କହ୍ନେଇ ଚରଣ ଦାସ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ସହ ସମ୍ପୃକ୍ତ ଭିଡିଓର ରେକର୍ଡିଂ ପୁଲିସକୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପୁଲିସ ବିଏନଏସର ବିଭିନ୍ନ ଧାରା ସହ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରି ରବିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି ଏବଂ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସାମାଜିକ ଗଣମାଧ୍ୟମରେ ଦାୟିତ୍ୱହୀନ ଓ ଅପମାନଜନକ ପୋଷ୍ଟ କରିଲେ ତାହା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୁଲିସ ପକ୍ଷରୁ ସତର୍କ କରାଯାଇଛି।



